ସମୁଦ୍ରରେ ଜଳୁଛି ହଜାର ହଜାର ‘ଫୋକ୍ସ୍‌ ୱାଗେନ୍‌’, ‘ପସ୍’, ‘ଅଡି’, ‘ଲାମ୍ବରଗିନି’ ଏବଂ ‘ବେଣ୍ଟଲି’ କାର୍ ନେଇ ଯାଉଥିବା ଜାହାଜ

ନୂଆଦିଲ୍ଲୀ: ‘ଫୋକ୍ସ୍‌ ୱାଗେନ୍‌ ଗ୍ରୁପ୍‌’ର ହଜାର ହଜାର କାର୍‌ ବୋହି ନେଇଯାଉଥିବା ପାନାମାର ପ୍ରକାଣ୍ଡ ମାଲ୍‌ବାହୀ ଜାହାଜ ‘ଦି ଫେଲିସିଟି ଏସ୍‌’ରେ ବୁଧବାର ଅପରାହ୍ଣରେ ଆଟ୍‌ଲାଣ୍ଟିକ୍‌ ସାଗର ମଧ୍ୟସ୍ତ ଆଜୋରିଜ୍‌ ଦ୍ବୀପପୁଞ୍ଜ ନିକଟରେ ନିଆଁ ଲାଗିଯାଇଛି।

ଉକ୍ତ ଜାହାଜରେ ଥିବା ୨୨ଜଣ କ୍ରୁ’ ସଦସ୍ୟଙ୍କୁ ସଫଳତାର ସହ ଉଦ୍ଧାର କରି ପର୍ତ୍ତୁଗାଲ୍‌ର ନୌସେନା ଏବଂ ବାୟୁସେନା ସ୍ଥାନୀୟ ହୋଟେଲ୍‌କୁ ନେଇଯାଇଛନ୍ତି। ସମ୍ପ୍ରତି ନିଆଁ ଲାଗିଥିବା ଜାହାଜରେ କ‌ୌଣସି ଲୋକ ନାହାନ୍ତି ଏବଂ ତାହା ଜ୍ବଳନ୍ତ ଅବସ୍ଥାରେ ସମୁଦ୍ରରେ ଭାସିବୁଲୁଛି।

Image Courtesy of Carscoop

ଆମେରିକାସ୍ଥିତ ‘ଫୋକ୍ସ୍‌ୱାଗେନ୍‌’ ଶାଖାର ଅଭ୍ୟନ୍ତରୀଣ ଇମେଲ୍‌ରୁ ଜଣାପଡ଼ିଛି ଯେ, ଉକ୍ତ ଜାହାଜରେ ୩,୯୬୫ଟି ‘ଫୋକ୍ସ୍‌ୱାଗେନ୍‌ ଏଜି ଭେଇକ୍ଲ୍‌’ ଥିଲା। ଜର୍ମାନିର ଉଲଫ୍‌ସ୍‌ବର୍ଗରେ ମୁଖ୍ୟାଳୟ ଥିବା ‘ଫୋକ୍ସୱାଗେନ୍‌’ ନିଜ ବ୍ରାଣ୍ଡ୍‌ର କାର୍‌ ନିର୍ମାଣ କରିବା ସହ ‘ପସ୍’, ‘ଅଡି’, ‘ଲାମ୍ବରଗିନି’ ଏବଂ ‘ବେଣ୍ଟଲି’ ଆଦି କାର୍‌ ନିର୍ମାଣ କରେ। ଉପରୋକ୍ତ କାର୍‌ ସବୁ ସେ ପଣ୍ୟବାହୀ ପୋତରେ ଥିବା ଛୋଟ ଛୋଟ ଡଙ୍ଗାରେ ରଖାଯାଇଥିଲା।

Image Courtesy of The Drive

ସେଥିରୁ ଟେକ୍ସାସ୍‌ର ‘ପୋର୍ଟ ଅଫ୍‌ ହଷ୍ଟନ୍‌’ ନିଆଯାଉଥିବା ୧୦୦ରୁ ଅଧିକ ଦାମୀ କାର୍‌ କ୍ଷତିଗ୍ରସ୍ତ ହେବ ବୋଲି ଇମେଲ୍‌ରୁ ଜଣାପଡ଼ିଛି। ‘ପସ୍’ର ମୁଖପାତ୍ର ଲ୍ୟୁକ୍‌ ଭାଣ୍ଡେଜାଣ୍ଡେ କହିଛନ୍ତି, ଜାହାଜରେ ଥିବା ତାଙ୍କ କମ୍ପାନିର ୧୧୦୦ କାର୍‌ ପୋଡ଼ି ଛାରଖାର ‌ହୋଇଯିବ।

ଫେବ୍ରୁଆରି ୧୦ ତାରିଖରେ ଜର୍ମାନିର ଏମ୍‌ଡେନ୍‌ ବନ୍ଦର ଛାଡ଼ିଥିବା ଉକ୍ତ ଜାହାଜ ଫେବ୍ରୁଆରି ୨୩ ତାରିଖ ସକାଳେ ରୋଡ୍‌ ଦ୍ବୀପର ଡେଭିସ୍‌ଭାଇଲ୍‌ରେ ପହଞ୍ଚିବାର ଥିଲା।

ଜାହାଜରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଥିଲେ ମଧ୍ୟ ସେଥିରେ ଥିବା କାର୍‌ଗୁଡ଼ିକୁ ଉଦ୍ଧାର କରିବା ସମ୍ଭବପର ନୁହେଁ ବୋଲି ଉଦ୍ଧାରକାରୀମାନେ କହୁଛନ୍ତି।

୨୦୦୫ରେ ନିର୍ମିତ ‘ଦି ଫେସିଲିଟି ଏସ୍‌’ର ଲମ୍ବ ହେଉଛି ୬୫୬ ଫୁଟ୍‌ ଏବଂ ପ୍ରସ୍ଥ ୧୦୪ ଫୁଟ୍‌। ଏଥିରେ ୧୭,୭୩୮ ଟନ୍‌ ଓଜନର ସାମଗ୍ରୀ ପରିବହନ ହେବ। ସେହି ହିସାବରେ ଦେଖିଲେ ପ୍ରାୟ ୪୦୦୦ କାର୍‌ ସେ ଜାହାଜରେ ପଠାଇହେବ।

ସମ୍ବନ୍ଧିତ ଖବର