ରାତାରାତି ୬୦୦କର୍ମଚାରୀଙ୍କୁ ଏହି କାରଣ ପାଇଁ ବିଦା କଲା କମ୍ପାନି

ନୂଆଦିଲ୍ଲୀ: କରୋନା ମାଡ଼ ଏବେ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି। ଏବେ ସ୍ଥିତି ସୁଧୁରୁଥିଲେ ବି ଭାରତର ଅର୍ଥନୀତି ଅଣ୍ଟା ସଳଖି ପାରିନାହିଁ। କରୋନାର ପ୍ରଭାବ କେବଳ ଗରିବ ଲୋକଙ୍କ ଉପରେ ନୁହେଁ, ବଡ଼ ବଡ଼ କମ୍ପାନି ଉପରେ ମଧ୍ୟ ପଡ଼ିଛି। ଏଭଳି ସ୍ଥିତିରେ ଲୋକେ ଚାକିରି କରି ଘର ଚଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣେ କମ୍ପାନି ୬୦୦ କର୍ମଚାରୀଙ୍କୁ ଛଟେଇ କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ୟବହାର ହୋଇସାରିଥିବା କାରକୁ ବିକ୍ରି କରୁଥିବା କମ୍ପାନି କାର୍ସ ୨୪ ଏବେ ୬୦୦ କର୍ମଚାରୀଙ୍କୁ ବିଦା କରିଛି। ଆନ୍ତର୍ଜାତୀୟ ସ୍ତରରେ କମ୍ପାନି ନିଜକୁ ବିସ୍ତାର କରିବାକୁ ଯୋଜନା କରୁଥିବା ବେଳେ କମ୍ପାନିର ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ଅଟେ। କାର୍ସ ୨୪ ରେ ପ୍ରାୟ ୯୦୦୦ କର୍ମଚାରୀ କାମ କରନ୍ତି। ସଫ୍ଟବ୍ୟାଙ୍କ ଏବଂ ଆଲଫା ୱେଭ୍ ଇନୋଭେସନ୍ ପରି ବଡ଼ ବଡ଼ ନିବେଶକମାନେ ଏଥିରେ ନ‌ିବେଶ କରିଛନ୍ତି। ସବୁ ପରେ ବି କମ୍ପାନି ଏଭଳି ନିଷ୍ପତ୍ତି କାହିଁକି ନେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

zeenews

ହେଲେ କମ୍ପାନି ଏହାକୁ ଏକ ଛଟେଇ ବୋଲି ବିଚାର କରିବାକୁ ମନା କରିଦେଇଛି। କମ୍ପାନିର ମୁଖପାତ୍ରଙ୍କ ତରଫରୁ କୁହାଯାଇଛି ଯେ ଏହା ଏକ ସାଧାରଣ ପ୍ରକ୍ରିୟା କର୍ମଚାରୀଙ୍କ ପ୍ରଦର୍ଶନକୁ ଦେଖି ଏହି ନିଷ୍ପତ୍ତି ନିଆଯାଏ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବରଖାସ୍ତ ହୋଇଥିବା ସମସ୍ତ କର୍ମଚାରୀ ଭାରତର ଏବଂ ସମସ୍ତେ ଜୁନିଅର ପୋଷ୍ଟରେ କାମ କରୁଥିଲେ।

ଏହା ପୂର୍ବରୁ ଶିକ୍ଷା ବ୍ୟବସାୟ କରୁଥିବା ବେଦାନ୍ତୁ ଦୁଇଟି ପର୍ଯ୍ୟାୟରେ ୬୨୪ ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ସେହିଭଳି ଅନ୍ୟ ଏକ ଶିକ୍ଷାନୁଷ୍ଠାନ ଅନଏକାଡେମୀ ବି ୬୦୦ କର୍ମଚାରୀଙ୍କୁ ଛଟେଇ କରିସାରିଛି । ଦେଶରେ ଏଭଳି ମାନ୍ଦାବସ୍ଥା ଲାଗି ରହିଲେ ଆଗାମୀ ଦିନରେ ନିଯୁକ୍ତିଠାରୁ ଛଟେଇ ପ୍ରତିଶତ ବହୁତ ଆଗକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ସମ୍ବନ୍ଧିତ ଖବର