ଦାବାଗ୍ନି ସଦୃଶ ସମଗ୍ର ଦେଶକୁ ବ୍ୟାପୁଛି ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନ : ଦିଲ୍ଲୀରେ ଜୀବନଯାତ୍ରା ଠପ୍‌, ୟୁପିରେ ଜଳିଲା ଗାଡ଼ି, ମାଙ୍ଗାଲୋରରେ ପୁଲିସ୍‌ର ଗୁଳି ଚାଳନା

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ୍‌କୁ ବିରୋଧ କରି ସମଗ୍ର ଦେଶରେ ଏବେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦାବାଗ୍ନି ବ୍ୟାପିବା ସଦୃଶ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଦେଶର ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ବ୍ୟାପିବାରେ ଲାଗିଛି। କର୍ଣ୍ଣାଟକର ମାଙ୍ଗାଲୋରରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌କୁ ଆଜି ସନ୍ଧ୍ୟାରେ  ଗୁଳି ଚାଳନା କରିବାକୁ ପଡ଼ିଛି।

ରାଜଧାନୀ ନୂଆଦିଲ୍ଲୀଠାରୁ ଆରମ୍ଭ କରି, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ତାମିଲନାଡ଼ୁ ପ୍ରଭୃତି ବହୁ ରାଜ୍ୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ବହୁ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

ଅନ୍ୟପକ୍ଷରେ ହିଂସାତ୍ମକ ଆନ୍ଦୋଳନକୁ ପରିହାର କରି ଦେଶରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସବୁ ନିବେଦନ ଓ ଆବେଦନ ବୃଥାଯିବା ପରେ ଆନ୍ଦୋଳନକାରୀଙ୍କୁ ଯେନତେନ ପ୍ରକାରେ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ପ୍ରତିଶୋଧ ପରାୟଣ ହୋଇ ପ୍ରତିଷେଧ ମୂଳକ ବ୍ୟବସ୍ଥା ଆଳରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବିରୋଧୀ ଦଳର ନେତାମାନଙ୍କୁ ପୁଲିସ୍‌ ଅଟକ ନାମରେ ଗିରଫ କରୁଛି। ଖାଲି ବିରୋଧୀ ଦଳଗୁଡ଼ିକର ନେତା ନୁହନ୍ତି; ଏହି ଆଇନ୍‌କୁ ବିରୋଧ କରୁଥିବା ଦେଶର ବୁଦ୍ଧିଜୀବୀମାନଙ୍କୁ ଅଟକ ରଖିବା ପାଇଁ ପୁଲିସ୍‌ କୁଣ୍ଠାବୋଧ କରିନାହିଁ। ଏହି କ୍ରମରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଐତିହାସିକ ଓ ଲେଖକ ରାମଚନ୍ଦ୍ର ଗୁହାଙ୍କୁ ବାଙ୍ଗାଲୁରୁଠାରେ ପୁଲିସ୍‌ ଯେପରି ଢ଼ଙ୍ଗରେ ଅଟକ ରଖିଲା ତାହାକୁ ଦଳମତ ନିର୍ବିଶେଷରେ ସମଗ୍ର ଦେଶ ଘୋର ବିରୋଧ କରିଛି।

Zee News

ରାଜଧାନୀ ନୂଆଦିଲ୍ଲୀରେ ଆନ୍ଦୋଳନକାରୀମାନଙ୍କୁ ଆନ୍ଦୋଳନରୁ ନିବୃତ୍ତ ରଖିବା ଲକ୍ଷ୍ୟରେ ଦିଲ୍ଲୀ ପୁଲିସ୍‌ ଯେଉଁ ଦୂରଦୃଷ୍ଟି ହୀନ କାର୍ଯ୍ୟପନ୍ଥା ଗ୍ରହଣ କଲା ସେଥିରେ ରାଜଧାନୀ ଦିଲ୍ଲୀର ସ୍ୱାଭାବକ ଜୀବନ ଯାତ୍ରା ସଂପୂର୍ଣ୍ଣ ଠପ୍‌ ହୋଇ ପଡ଼ିଲା। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ରାଜଧାନୀ ଦିଲ୍ଲୀର ରାଜରାସ୍ତା ଉପରେ ଦିଲ୍ଲୀ ପୁଲିସ୍‌ ରାତିଅଧିଆ ମନଇଚ୍ଛା ବ୍ୟାରିକେଡ୍‌ ଲଗାଇ ଦେବା ପରେ ସକାଳେ ରାଜରାସ୍ତା ଉପରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ୍‌ ହୋଇପଡ଼ିଥିଲା। ସାଧାରଣ ଜନତା ଟ୍ରାଫିକ୍‌ ଜାମ୍‌ରେ ଫସି ଅକଥନୀୟ ଦୁର୍ଦ୍ଦଶା ଭୋଗ କରିଥିଲେ। ଟ୍ରାଫିକ୍‌ ଜାମ୍‌ କାରଣରୁ ଦିଲ୍ଲୀ ବିମାନ ବନ୍ଦରରୁ ଅନ୍ୟୂନ ୩୦ଟି ବିମାନର ଉଡ଼ାଣ ରଦ୍ଦ ହୋଇ ଯାଇଥିଲା। ସେହିପରି ୧୦ରୁ ଅଧିକ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ବନ୍ଦ ରହିବା କାରଣରୁ ମେଟ୍ରୋ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଖାଲି ଏତିକି ନୁହେଁ, ଅର୍ଦ୍ଧାଧିକ ଦିଲ୍ଲୀରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ମଧ୍ୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ କରି ଦିଆଯାଇଥିଲା। ତେବେ, ଦାବାଗ୍ନି ବ୍ୟାପିବା ସଦୃଶ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିଲ୍ଲୀର ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ବ୍ୟାପିବା ଘଟଣା ଏବେ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି।

Hindu

ରାଜଧାନୀ ଦିଲ୍ଲୀର ଅବସ୍ଥା ଏହିପରି ଥିବାବେଳେ ପଡ଼ୋଶୀ ବିଜେପି ଶାସିତ ଉତ୍ତରପ୍ରଦେଶର ଅବସ୍ଥା ମଧ୍ୟ କିଛି କମ୍‌ ସାଂଘାତିକ ନାହିଁ। ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନରୁ ନିବୃତ୍ତ ରଖିବା ଉଦ୍ଦେଶ୍ୟରେ ଅର୍ଦ୍ଧାଧିକ ଉତ୍ତରପ୍ରଦେଶରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ଏହା ଆନ୍ଦୋଳନକାରୀମାନଙ୍କୁ ଆନ୍ଦୋଳନରୁ ଅଟକାଇ ରଖିପାରି ନାହିଁ। ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍‌ର ଦମନଲୀଳା ଉତ୍ତରପ୍ରଦେଶର ଛାତ୍ର ସମାଜକୁ ଉତ୍‌କ୍ଷିପ୍ତ କରିଛି। ଫଳସ୍ୱରୂପ ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି ଏବଂ ଆନ୍ଦୋଳନକାରୀମାନେ ଏକାଧିକ ଯାତ୍ରୀବାହୀ ବସ୍‌ ଓ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର