ବୁଡ଼ିଯାଉଥିବା ବଂଶ ରକ୍ଷା କରି ପ୍ରାକୃତିକ ବାସସ୍ଥଳୀକୁ ଫେରିବାକୁ ଯାଉଛି ‘କାସନୋଭ’ କଇଁଛ ଡିଏଗୋ

ନୂଆଦିଲ୍ଲୀ: ଦୁନିଆରୁ ନିଶ୍ଚିହ୍ନ ହେବାକୁ ଯାଉଥିବା ନିଜର ପ୍ରଜାତିକୁ ଉଦ୍ଧାର କରିବା ପରେ ‘କାସନୋଭ’ ପ୍ରଜାତିର ‘ଡିଏଗୋ’ ନାମକ କଇଁଛ ଏସ୍‌ପାନୋଲାସ୍ଥିତ ତା’ର ପ୍ରାକୃତିକ ବାସସ୍ଥାନକୁ ଫେରିବାକୁ ଯାଉଛି।

ଗାଲାପାଗୋସ୍‌ ଦ୍ୱୀପରେ ମାତ୍ର ୧୪ଟି ‘କାସନୋଭ’ କଇଁଛ ଥିବା ବେଳେ ୧୦୦ ବର୍ଷିୟ ଡିଏଗୋ ଔରସରୁ ପ୍ରାୟ ୨୦୦୦ କଇଁଛ ଜନ୍ମ ହୋଇଛନ୍ତି।

ଏହି ପ୍ରଜାତିର କଇଁଛଙ୍କ ବଂଶବୃଦ୍ଧି ପାଇଁ ଅନ୍ୟ ୧୪ଟି ଅଣ୍ଡିରା କଇଁଛଙ୍କ ସହ ଡିଏଗୋକୁ ସାନ୍ତା କ୍ରୁଜ୍‌ ଦ୍ୱୀପକୁ ଅଣାଯାଇଥିଲା। କିନ୍ତୁ, ଶାବକ ଜାତ କରାଇବାରେ ଡିଏଗୋର ସମକକ୍ଷ ଅନ୍ୟ କେହି ହୋଇ ପାରି ନ ଥିଲେ।

Image Source: Cnet

ବଂଶ ରକ୍ଷା ଅଭିଯାନ ସଫଳ କରିଥିବା ଡିଏଗୋକୁ ଏ ବର୍ଷ ମାର୍ଚ ମାସରେ ତା’ର ପ୍ରାକୃତିକ ବାସସ୍ଥଳୀ ଏସ୍‌ପାନୋଲା ଦ୍ୱୀପକୁ ପଠାଇ ଦିଆଯିବ।
ଗାଲାପାଗୋସ୍‌ ଜାତୀୟ ଉଦ୍ୟାନର ନିର୍ଦେଶକ ଜର୍ଜ କେରିଅନ୍‌ କହନ୍ତି ଯେ ନିଜ ପ୍ରଜାତି ରକ୍ଷା କରିବାରେ ଡିଏଗୋ ୪୦% ଅବଦାନ ଦେଇଛି।

ପ୍ରାୟ ୮୦ ବର୍ଷ ତଳେ ଏକ ବୈଜ୍ଞାନିକ ଅଭିଯାନ ନିମନ୍ତେ ଡିଏଗୋକୁ ଗାଲାପାଗୋସ୍‌ ଦ୍ୱୀପରୁ ଅଣାଯାଇଥିଲା ବୋଲି ‘ବିବିସି’ ରିପୋର୍ଟ କରିଛି।

ଇକ୍ୱାଡର୍‌ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ପ୍ରାୟ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଗାଲାପାଗୋସ୍‌ ଦ୍ୱୀପକୁ କଇଁଛମାନଙ୍କର ସ୍ୱର୍ଗ ବୋଲି ବିବେଚନା କରାଯାଏ।

ସମ୍ବନ୍ଧିତ ଖବର