ମାଛ ଧରିବାକୁ ଯାଇଥିଲେ ୨ଜଣ ପୂର୍ବତନ ବିଧାୟକ, ଏବେ ଯିବେ ଜେଲ

ଦିଶପୁର: ମାଛ ଧରିବାକୁ ଯାଇଥିଲେ ୨ ଜଣ ପୂର୍ବତନ ବିଧାୟକ, ଆଉ ସେଥିପାଇଁ ଏବେ ଜେଲ ଯିବେ | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଛି କି? କିନ୍ତୁ କଥାଟି ଏକଦମ ସତ | ମିଳିଥିବା ସୂଚନା ମୁତାବକ ଆସାମର ଗୋଲାଘାଟ ଜିଲ୍ଲାର ଏହି ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ବେଆଇନ ଭାବେ ମାଛ ଧରିବା ଏବଂ ଫରେଷ୍ଟ ରେଞ୍ଜରଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଏକ ସ୍ଥାନୀୟ ଅଦାଲତ ଦୁଇ ପୂର୍ବତନ ବିଧାୟକଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହା ଛଡା ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ଯଦି ଜରିମାନା ନ ଦେବେ ତେବେ ଅତିରିକ୍ତ ଦୁଇମାସ ଜେଲରେ ରହିବାକୁ ପଡିବ ବୋଲି କୋର୍ଟ କହିଛନ୍ତି | ୨୦୦୯ ମସିହାର ଏକ ମାମଲାକୁ ବିଚାର କରି ପୂର୍ବତନ ବିଧାୟକ ଜିତେନ ଗୋଗୋଇ ଏବଂ କୁଶଲ ଡୋଭାରିଙ୍କ ସମେତ ୫ ଜଣଙ୍କ ବିରୋଧରେ ଅତିରିକ୍ତ ଜିଲ୍ଲା ଜଜ୍ କୌଶିକ ହଜାରିକା ଏହି ରାୟ ଦେଇଛନ୍ତି |

ଅଭିଯୋଗ ମୁତାବକ ଦୁଇ ପୂର୍ବତନ ବିଧାୟକ ତାଙ୍କ ସାଥୀଙ୍କ ସହ ଜବରଦସ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ କରିବା ସହ ବେଆଇନ ଭାବେ ମାଛ ଧରିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଫରେଷ୍ଟ ରେଞ୍ଜର ଡମ୍ବରୁଧର ବୋରୋ ତାଙ୍କୁ ଏପରି କରିବାକୁ ମନା କରିବାରୁ ଉଭୟ ବିଧାୟକ ଏବଂ ତାଙ୍କ ସାଥୀମାନେ ବୋରୋଙ୍କୁ ଧମକ ଦେବା ସହ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ବୋରୋ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ | ଆଜି କୋର୍ଟ ୧୨ ବର୍ଷ ତଳର ଏହି ମାମଲାର ବିଚାର କରି ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁଯାୟୀ ଦଣ୍ଡିତ କରିଛନ୍ତି |

ସମ୍ବନ୍ଧିତ ଖବର