ଦାଦନ ବସ୍‌ ରାଜନୀତି, ୨୦ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା

ଦାଦନ ବସ୍‌ ରାଜନୀତି, ୨୦ କଂଗ୍ରେସ ନେତାଙ୍କ ବିରୋଧରେ ଏତଲା

ନୋଏଡ଼ା: ଫସିଥିବା ଦାଦନଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଆଣିବାକୁ ଉତ୍ତରପ୍ରଦେଶ କଂଗ୍ରେସ ନେତାଏ ୧୦୦ଟି ବସ୍‌ ନୋଏଡ଼ା ସୀମାରେ ଲଗାଇବା ପରେ ରାଜ୍ୟ ପୁଲିସ ସେମାନଙ୍କ ନାମରେ ଏତଲା କରିଛି। ଉତ୍ତରପ୍ରଦେଶ ସରକାର ଓ କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧି ବାଡ୍ରାଙ୍କ ମଧ୍ୟରେ ଗତ ଦୁଇଦିନ ମଧ୍ୟରେ ବସ୍‌ ସୁବିଧା ଦେବା ପ୍ରସଙ୍ଗରେ ପତ୍ରଯୁଦ୍ଧ ହେବା ପରେ ଘଟଣାରେ ନୂଆ ମୋଡ଼ ଆସିଛି। ସମବେତ ହୋଇଥିବା ବସ୍‌ଗୁଡ଼ିକ ମଧ୍ୟରୁ ଦୁଇଟିର ଫିଟ୍‌ନେସ୍‌ ୨୦୧୯ ଏପ୍ରିଲ ୨ ତାରିଖରୁ ସରିଯାଇଥିବାରୁ ପୁଲିସ୍‌ ସେହି ଦୁଇଟିକୁ ଜବତ କରିଛି।

ସମସ୍ତ ଯାଞ୍ଚ ସରିବା ପରେ ବସ୍‌ଗୁଡ଼ିକୁ ପୁଲିସ୍‌ ସବୁଜ ସଂକେତ ଦେବ। ତେବେ ଏ ପ୍ରସଙ୍ଗରେ କଂଗ୍ରେସ କହିଛି ଯେ ଯୋଗୀ ସରକାର ଦାଦନଙ୍କ ପରିବହନ ପ୍ରସଙ୍ଗରେ ରାଜନୀତିର ରଙ୍ଗ ବୋଳୁଛି। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି ଯେ ଯଦି ସରକାରଙ୍କର ସମ୍ବେଦନା ଥାଏ, ତେବେ ହଜାର ହଜାର ଦାଦନ ଶ୍ରମିକଙ୍କ ପରିବହନ ପାଇଁ ତୁରନ୍ତ ବସ୍‌ଗୁଡ଼ିକୁ ଅନୁମତ ଦେବେ। ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲ୍ଲୁ ଓ ପ୍ରିୟଙ୍କା ଗାନ୍ଧି ବାଡ୍ରାଙ୍କ ବ୍ୟକ୍ତିଗତ ସଚିବ ସଂଦୀପ ସିଂହଙ୍କ ନାମରେ ଉପ୍ର ସଡ଼କ ପରିବହନ ଅଧିକାରୀ (ଆର୍‌ଟିଓ) ମାମଲା ଦାଏର କରିଛି। ସରକାରୀ ଅଧିକାରୀଙ୍କୁ ଭୁଲ୍‌ ସୂଚନା ଦେଇଥିବା ଏବଂ ସଚ୍ଚୋଟତା ପ୍ରଦର୍ଶନର ଅଭାବ ଦର୍ଶାଇ ‌ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ସମ୍ବନ୍ଧିତ ଖବର