କୋଲକାତା: ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅଭିନେତା ପରେଶ ରାୱଲଙ୍କ ବଙ୍ଗାଳୀ-ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ରାୱଲଙ୍କ ମନ୍ତବ୍ୟକୁ ଅରୁଚିକର ବୋଲି କହିବା ସହ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ ତାଙ୍କ ନାଁରେ ଥାନାରେ ଏକ ଏତଲା ଦାଏର କରିଛନ୍ତି। ପରେଶ ରାୱଲ ଏକ ରୢାଲିରେ କହିଥିଲେ ଯେ, ଗୁଜରାଟ ଜନସାଧାରଣ ମୁଦ୍ରାସ୍ଫୀତିକୁ ସହ୍ୟ କରିବେ କିନ୍ତୁ ‘ବାଂଲାଦେଶୀ ଓ ରୋହିଙ୍ଗ୍ୟା’ଙ୍କୁ ନୁହେଁ।

Advertisment

ସଲିମ କୋଲକାତାର ତାଳତଲା ଥାନାରେ ଏକ ମାମଲା ରୁଜୁ କରିବା ସହ କହିଛନ୍ତି ଯେ ରାୱଲ ବଙ୍ଗାଳୀମାନଙ୍କ ବିରୋଧରେ ଏହି ମନ୍ତବ୍ୟ ଦେଇଛନ୍ତି। ବଙ୍ଗଳା ବାହାରେ ସାରା ଦେଶରେ ବଙ୍ଗାଳୀମାନେ ବାସ କରୁଛନ୍ତି। ରାୱଲଙ୍କ ଏହି ମନ୍ତବ୍ୟ ବଙ୍ଗାଳୀ-ବିରୋଧୀ ମନୋଭାବ ସୃଷ୍ଟି କରିବ ଏବଂ ଏହା ବଙ୍ଗାଳୀମାନଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି। ତେବେ ରାୱଲ ସଫେଇ ଦେଇଛନ୍ତି ଯେ, ସେ ବଙ୍ଗାଳୀମାନଙ୍କ ବିରୋଧରେ କିଛି କହିନାହାନ୍ତି। ତାଙ୍କ ମନ୍ତବ୍ୟ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା।