ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ମାମଲା: ସୁପ୍ରିମ୍‌ କୋର୍ଟରେ ବୟାନ ରଖିଲେ ଆଇନ ଛାତ୍ରୀ

ସୁରକ୍ଷା ପାଇଁ ଘର ଛାଡ଼ିଥିଲେ, ଦିଲ୍ଲୀରେ ରଖାଯବାକୁ ଅଦାଲତର ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୂର୍ବତନ ବିଜେପି ସାଂସଦ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଅଚାନକ ନିଖୋଜ ହୋଇଯାଇଥିବା ଶାହଜାହାନପୁରର ଆଇନ ଛାତ୍ରୀଙ୍କୁ ଆଜି ରାଜସ୍ଥାନରେ ଠାବ କରାଯାଇଛି। ତାଙ୍କୁ ତୁରନ୍ତ ସୁପ୍ରିମକୋର୍ଟରେ ହାଜର କରାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ମିଳିବା ପରେ ଆଜି ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା। ଏକ ରୁଦ୍ଧଦ୍ବାର ଅଦାଲତରେ ବିଚାରପତି ଆର୍‌ ଭାନୁମତି ଏବଂ ଏଏସ୍‌ ବୋପାନ୍ନା ଯୁବତୀଙ୍କ ଅଭିଯୋଗ ଉପରେ ତାଙ୍କୁ ପ୍ରଶ୍ନ କରିଥିଲେ ଏବଂ ଯୁବତୀ ଜଣଙ୍କ ତାଙ୍କ ଜବାବ ରଖିଥିଲେ। ନିଜର ସୁରକ୍ଷା ପାଇଁ ସେ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି ସେ ବିଚାରପତିଙ୍କୁ କହିଥିଲେ। ସୁପ୍ରିମ୍‌ କୋର୍ଟ ଯୁବତୀଙ୍କ ସୁରକ୍ଷା ପାଇଁ ତାଙ୍କୁ ଦିଲ୍ଲୀରେ ରଖାଯିବାକୁ କହିଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆଣି ଦିଲ୍ଲୀରେ ଭେଟାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୩ ତାରିଖରୁ ନିଖୋଜ ଥିବା ଏହି ଆଇନ ଛାତ୍ରୀଙ୍କୁ ଆଜି ଉତ୍ତରପ୍ରଦେଶ ପୁଲିସ ଦ୍ବାରା ରାଜସ୍ଥାନରେ ଠାବ କରାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କ ଆଇନଜୀବୀ ଆଜି ସୁପ୍ରିମକୋର୍ଟରେ ଅବଗତ କରିବା ପରେ ସୁପ୍ରିମକୋର୍ଟ ତାଙ୍କୁ ଆଜି ହିଁ କୋର୍ଟରେ ହାଜର କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଛାତ୍ରୀଙ୍କ ସହ ଚ୍ୟାମ୍ବରରେ ଭିଡିଓ କନ୍‌ଫରେନ୍ସିଂରେ କଥା ହେବାପରେ ତାଙ୍କୁ ଅଦାଲତରେ ହାଜର କରିବାକୁ କୁହାଯାଇଥିଲା। ୟୁପି ଡିଜିପି ଓପି ସିଂହ କହିଛନ୍ତି, ଆଇନ ଛାତ୍ରୀଙ୍କୁ ରାଜସ୍ଥାନରୁ ତାଙ୍କର ଜଣେ ବନ୍ଧୁଙ୍କ ସହ ଠାବ କରାଯାଇଥିଲା। କିନ୍ତୁ ତାଙ୍କୁ ଅପହରଣ କରାଯାଇନଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖରେ ଏହି ଆଇନ ଛାତ୍ରୀ ନିଖୋଜ ହୋଇ ଯାଇଥିଲେ। ୨୪ ତାରିଖରେ ସେ ତାଙ୍କ ଫେସବୁକ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ଅପଲୋଡ୍‌ କରି ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷେ ଚିନ୍ମୟାନନ୍ଦ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ୩ ଥର ଲୋକସଭା ସାଂସଦ ଏବଂ ଅଟଳ ବିହାରୀ ବାଜପେୟୀ ସରକାରରେ ଜଣେ ରାଜ୍ୟ ମନ୍ତ୍ରୀ ଥିବା ଚିନ୍ମୟାନନ୍ଦ ଏଭଳି ଅଭି‌ଯୋଗ କେବଳ ତାଙ୍କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର