ବିଷାକ୍ତ ବାଷ୍ପର ବିଭୀଷିକା, ରେଫ୍ରିଜରେସନ ୟୁନିଟ୍‌ରେ ତ୍ରୁଟି ପାଇଁ ଅଘଟଣ

କମ୍ପାନି ବିରୋଧରେ ମାମଲା ରୁଜୁ

କରୋନା ଭୂତାଣୁ ପାଇଁ ଦେଶବ୍ୟାପୀ ଭୟର ବାତାବରଣ ଭିତରେ ଆଜି ଗ୍ୟାସ ବିଭୀଷିକା ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ବିପନ୍ନ କରିଛି। ଆନ୍ଧ୍ରପ୍ରଦେଶର ବନ୍ଦରନଗରୀ ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ ୧୧ ଜଣଙ୍କ ପ୍ରାଣ ଯାଇଥିବା ବେଳେ ଛତିଶଗଡ଼ର ରାୟଗଡ଼ ଠାରେ ଏକ କାଗଜକଳରେ ସମାନପ୍ରକାର ଅଘଟଣରେ ୭ ଜଣ ଅସୁସ୍ଥ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି। ସେହିଭଳି ତାମିଲନାଡୁର ନେୱେଲୀ ଠାରେ ଏକ ନିଜସ୍ୱ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ବଏଲର୍‌ ବିସ୍ଫୋରଣ ଘଟି ୮ ଜଣ ଶ୍ରମିକ ଆହତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି।

ବିଶାଖାପଟନମ୍: ଏଲ୍‌ଜି ପଲସର୍ମ କାରଖାନାରେ ଯେଉଁ ଗ୍ୟାସ ଲିକ୍ ହୋଇଛି ତାହା ରେଫ୍ରିଜରେସନ୍‌ ୟୁନିଟ୍‌ରେ ବୈଷୟିକ ତ୍ରୁଟି କାରଣରୁ ହୋଇଛି ବୋଲି ଜିଲ୍ଲାପାଳ ଭି ବିନୟ ଚାନ୍ଦ କହିଛନ୍ତି। ରେଫ୍ରିଜରେସନ ୟୁନିଟ୍‌କୁ ଷ୍ଟାଇନ୍ ଗ୍ୟାସ ଲାଗିକରି ରହିଥିଲା। ଷ୍ଟାଇରିନ୍ ସାଧାରଣତଃ ୨୦ ଡିଗ୍ରି ତାପମାତ୍ରାରୁ କମ୍‌ରେ ତରଳ ଅବସ୍ଥାରେ ରହିଥାଏ। କିନ୍ତୁ ରେଫ୍ରିଜରେସନ ୟୁନିଟ୍ ଠିକ୍ ଭାବେ କାର୍ଯ୍ୟ କରୁ ନଥିବାରୁ ଏପରି ଗ୍ୟାସ ଲିକ୍ ହୋଇଛି ବୋଲି ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ପରେ କହାଯାଇଛି। ଷ୍ଟାଇରିନ୍ ଗ୍ୟାସ ଟାଙ୍କି ପୁରୁଣା ଥିଲା ଏବଂ ତାହାର ରକ୍ଷଣାବେକ୍ଷଣ ଠିକ୍‌ଭାବେ କରାଯାଉ ନଥିବା କୁହାଯାଉଛି। ଗ୍ୟାସ ଲିକ୍ ଘଟଣା ପରେ କେନ୍ଦ୍ର ସରକାର କମ୍ପାନିକୁ କାରଖାନା ପୁନର୍ବାର ଚାଲୁ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ସ୍ଥାନୀୟ ପ୍ରଶାସନକୁ ସହାୟତା ଯୋଗାଇବା ପାଇଁ ଭାରତୀୟ ନୌସେନା ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଆନ୍ଧ୍ର ପ୍ରଦେଶ ଶିଳ୍ପମନ୍ତ୍ରୀ ଏମ ଗୌତମ ରେଡ୍ଡୀ କହିଛନ୍ତି, କଣ ପାଇଁ ଏଭଳି ଅଘଟଣ ଘଟିଲା ତାହା ଜଣାଇବା ପାଇଁ କମ୍ପାନିକୁ କୁହାଯିବ। ଭାଇଜାଗ ସିଟି ପୁଲିସ ଏଲ୍‌ଜି ପଲିମର୍ସ ବିରୋଧରେ ଆଇପିସିର ଧାରା ୩୩୭, ୩୩୮ ଏବଂ ୩୦୪ରେ ମାମଲା ରୁଜୁ କରିଛି।

ଭେଣ୍ଟିଲେଟରରେ ୨୦ ଜଣ
ବିଷାକ୍ତ ଗ୍ୟାସ ଯୋଗୁଁ ଅସୁସ୍ଥ ହୋଇ କିଙ୍ଗ୍ ଜର୍ଜ ହସ୍ପିଟାଲରେ ଅତିକମ୍‌ରେ ୨୦ ଜଣ ଭେଣ୍ଟିଲେଟରରେ ଅଛନ୍ତି। ଏଥିସହିତ ଏହି ଡାକ୍ତରଖାନାରେ ଆଉ ୨୪୬ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ପୁଲିସ ସୂଚନା ଦେଇଛି।

ଭୂତଳ ଜଳ ସଂକ୍ରମିତ ହେବା ଆଶଙ୍କା
ବିଶାଖାପଟନମ ସହରରେ କାରଖାନା ନିକଟବର୍ତ୍ତୀ ଅଞ୍ଚଳରେ ଭୂତଳ ଜଳ ଏହି ବିଷାକ୍ତ ଗ୍ୟାସ ପ୍ରଭାବରେ ସଂକ୍ରମିତ ହେବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପରିକି ନଳକୂପରୁ ବାହାରୁ ଥିବା ପାଣି ମଧ୍ୟ ସଂକ୍ରମିତ ହୋଇପାରେ। ତେବେ ସହରକୁ ଜଳ ଯୋଗାଉଥିବା ମେଘାଦ୍ରିଗେଡା ଜଳଭଣ୍ଡାର କାରଖାନା ଠାରୁ ମାତ୍ର ୨ କିମି ଦୂରରେ ଥିବାରୁ ଏଥିପ୍ରତି ବିପଦ ‌ରହିଥିବା କହାଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଷ୍ଟାଇରିନ୍ ବାଷ୍ପ କମ୍ ମାତ୍ରାରେ ଲିକ୍ ହୋଇଛି। ଏଥିଯୋଗୁଁ ସବୁସ୍ଥାନରେ ସ୍ବାସ୍ଥ୍ୟ ଉପରେ ପଡ଼ିଥିବା ପ୍ରଭାବ ସେତେଟା ହାନିକାରକ ନୁହେଁ।

ତଦନ୍ତ ପାଇଁ ଗଠନ ହେବ କମିଟି
ବିଶାଖାପାଟଣା ଗ୍ୟାସ୍ ଲିକ୍ ଘଟଣାର ସମସ୍ତ ଅସୁସ୍ଥଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ଆରୋଗ୍ୟଶ୍ରୀ ଟ୍ରଷ୍ଟ ବହନ କରିବ। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନମୋହନ ରେଡ୍ଡୀ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ। ଏହି ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ସମ୍ପର୍କୀୟମାନଙ୍କୁ କାରଖାନାରେ ଚାକିରି ଦେବା ପାଇଁ ସରକାର କଥାହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆବଶ୍ୟକ ପଡ଼ିଲେ ଏଲ୍‌ଜି ପଲିମର୍ସ ପ୍ଲାଣ୍ଟକୁ ଗୋପାଳପଟନମ୍ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗ୍ୟାସ୍‌ ଲିକ୍‌ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂପର୍କୀୟଙ୍କୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆହତମାନଙ୍କୁ ମୁଖ୍ୟମନ୍ତ୍ରୀ କିଙ୍ଗ୍ ଜର୍ଜ ହସ୍ପିଟାଲ ପରିସରରେ ଭେଟିଛନ୍ତି। ଗ୍ୟାସ ଲିକ୍ ଘଟଣା‌ ପରେ ବିଶାଖାପାଟନମ୍ ମହାନଗର ନିଗମ ପକ୍ଷରୁ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିସହିତ ନାକ ଓ ପାଟିକୁ ଓଦା କପଡ଼ାରେ ଘୋଡ଼ାଇ ରଖିବା ଲାଗି ପରାମର୍ଶ ଦିଆଯାଇଥିଲା।

ପରିସ୍ଥିତି ନିୟନ୍ତ୍ରଣାଧୀନ
କାରଖାନାରୁ ଗ୍ୟାସ୍ ଲିକ୍ ଘଟଣାକୁ ନିୟନ୍ତ୍ରଣ ମଧ୍ୟକୁ ଅଣାଯାଇଛି ବୋଲି ଆନ୍ଧ୍ରପ୍ରଦେଶ ସରକାର କହିଛନ୍ତି। ଗ୍ୟାସ୍‌ ଲିକ୍ ପରେ ପ୍ରାଶାସନିକ କଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ କରିଥିଲା। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍‌କୁ ବନ୍ଦ କରାଯାଇଛି। ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଏନଡିଆର୍‌ଏଫ୍ ଡିଜି ଏସ୍‌ ଏନ୍‌ ପ୍ରଧାନ କହିଛନ୍ତି। ସେହିଭଳି ଆନ୍ଧ୍ର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଦାମୋଦର ଗୌତମ ସାୱଙ୍ଗ କହିଛନ୍ତି, ଗ୍ୟାସ୍ ଲିକ୍ ଏକ ଦୁର୍ଘଟଣା। ସମସ୍ତ ପ୍ରକାର ପ୍ରୋଟୋକଲ ପାଳନ କରାଯାଇଥିଲା। ଘଟଣାର ତଦନ୍ତ ଚାଲିଛି। ଘଟଣାସ୍ଥଳକୁ ଫରେନସିକ ଟିମ୍‌ ପଠାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ୟାବିନେଟ୍‌ ସଚିବ, ଗୃହ ସଚିବ, ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ବରିଷ୍ଠ ଅଧିକାରୀ, ଏମ୍‌ସର ନିର୍ଦ୍ଦେଶକ ଏବଂ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ଘଟଣାସ୍ଥଳକୁ ବିଶେଷଜ୍ଞ ଦଳକୁ ପଠାଇବା ସହିତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ଜଗନଙ୍କ ସହ କଥା ହେଲେ ମୋଦୀ
ଗ୍ୟାସ୍ ଲିକ୍ ଘଟଣାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି। ସମସ୍ତ ପ୍ରକାର ସହାୟତା ‌ରାଜ୍ୟକୁ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଜଗନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଦୁର୍ଘଟଣାର ତଦନ୍ତ ଦାବି କଲା ଟିଡିପି
ବିଶାଖାପାଟଣା ଠାରେ ହୋଇଥିବା ଗ୍ୟାସ୍ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁ। କାରଖାନାକୁ ତୁରନ୍ତ ବନ୍ଦ କରିବା ପାଇଁ ସେ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ସରକାରଙ୍କ ଅନୁମତି ମି‌ଳିଲେ ନିଜେ ଘଟଣାସ୍ଥଳକୁ ଯିବେ ବୋଲି ନାଇଡ଼ୁ କହିଛନ୍ତି।

ରାଷ୍ଟ୍ରପତି, ଉପରାଷ୍ଟ୍ରପ୍ରତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ
ବିଶାଖାପାଟଣା ଗ୍ୟାସ୍ ଲିକ୍ ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ବିଜେପି ସଭାପତି ଜେ. ପି. ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଅସୁସ୍ଥମାନଙ୍କ ଶୀଘ୍ର ଆରୋଗ୍ୟ ମଧ୍ୟ ସେ କାମନା କରିଛନ୍ତି। ଉପରାଷ୍ଟ୍ରପତି ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହିତ ଅସୁସ୍ଥଙ୍କର ତ୍ବରିତ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ମନ୍ତ୍ରାଳୟ ଏବଂ ଏନ୍‌ଡିଏମ୍‌ଏ ଅଧିକାରୀଙ୍କ ସହିତ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ସମସ୍ତଙ୍କର ସୁରକ୍ଷା ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର