ରାହୁଲଙ୍କ ବିରୋଧରେ ୨ଟି ମାନହାନି ମକଦ୍ଦମା ରୁଜୁ

ପ୍ରଧାନମନ୍ତ୍ରୀଙ୍କୁ ନିରବ ମୋଦି ସହ ତୁଳନା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀ ଏବେ ଅଡ଼ୁଆରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ ପିଏନ୍‌୍‌ବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ସହିତ ତୁଳନା କରିଥିବାରୁ ରାହୁଲଙ୍କ ବିରୋଧରେ ବିଜେପି ନେତାମାନେ ୨ଟି ଅଦାଲତରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଉତ୍ତର ପ୍ରଦେଶ ବିଜେପି ମୁଖପାତ୍ର ସଲଭ ମଣି ତ୍ରିପାଠୀ ଦେବାରିଆ ଫାଷ୍ଟଟ୍ରାକ୍‌ କୋର୍ଟରେ ଏବଂ ୟୁପି ହମିରପୁର କୋର୍ଟରେ ବିଜେପି ନେତା ଅବଧ ନରେଶ ସିହଂ ଚନ୍ଦେଲ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିଛନ୍ତି। ନିକଟରେ ଦିଲ୍ଲୀରେ ଆୟୋଜିତ ହୋଇଥିବା କଂଗ୍ରେସ ମହା ଅଧିବେଶନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିରବ ମୋଦି ଓ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ତଥା ଫେରାର୍‌ ଅଭିଯୁକ୍ତ ଲଲିତ ମୋଦିଙ୍କ ସହ ତୁଳନା କରିଥିଲେ। ଉଭୟ ମାନହାନି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୫ ତାରିଖରେ ହେବ ବୋଲି ଜଣାପଡ଼ିଛି। ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ନେତା ତ୍ରିପାଠୀ କହିଛନ୍ତି ଯେ, ଦେଶରେ ସବୁ ଦୁର୍ନୀତି ପଛରେ ମୋଦିମାନେ ହିଁ ରହିଛନ୍ତି ବୋଲି ରାହୁଲ ଯେଉଁ ଆପତ୍ତିଜନକ ବୟାନ ଦେଇଛନ୍ତି ତାହା ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଛି। ଏହା ପ୍ରଧାନମନ୍ତ୍ରୀ ପଦର ଗରିମାକୁ ନଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି। ମାନହାନି ମାମଲାକୁ ନେଇ ସରଗରମ ଚର୍ଚ୍ଚା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର