ମୁମ୍ବାଇ: ବଢ଼ିବାରେ ଲାଗିଛି ଲାଉଡସ୍ପିକର ହଟାଇବା ବିବାଦ। ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ପ୍ରମୁଖ ରାଜ ଠାକରେ ଦେଇଥିବା ସମୟର ଅବଧି ଆଜି ଶେଷ ହେଉଥିବା ବେଳେ ଆସନ୍ତାକାଲି କିଛି ବଡ଼ ଅଘଟଣ ଘଟିପାରେ ବୋଲି ହାଇଆଲର୍ଟରେ ରହିଛି ମହାରାଷ୍ଟ୍ର ପୁଲିସ। ଅନ୍ୟପକ୍ଷରେ ରବିବାର ଦିନ ଔରଙ୍ଗାବାଦରେ କରିଥିବା ଏକ ରାଲିରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ ପାଇଁ ଏମଏନଏସ ମୁଖ୍ୟ ରାଜ ଠାକ‌ରେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Advertisment

ତେବେ ମସଜିଦରେ ଲାଗିଥିବା ଲାଉଡସ୍ପିକର ହଟାଇବା ପାଇଁ ମେ’ ୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ। ହେଲେ ଗତକାଲି ସେ ତାଙ୍କର ଏଭଳି ଯୋଜନାକୁ ବାତିଲ କରିଥିଲେ। ମେ’ ୩ରେ ଅର୍ଥାତ ଆଜି ଇଦ୍ ଥିବାରୁ ରାଜ ଠାକରେ ମସଜିଦ ସମ୍ମୁଖରେ ହନୁମାନ ଚାଳିଶା ପଢ଼ିବାର ଯୋଜନାକୁ ବାତିଲ କରିଥିଲେ ।

ସେ କହିଥିଲେ ଯେ, ମେ’ ୩ରେ ଇଦ୍। ମୁସଲମାନ ଭାଇ-ଭଉଣୀମାନେ ଏହି ପର୍ବକୁ ଆନନ୍ଦରେ ପାଳନ କରିବା ଉଚିତ୍। ମେ’ ୩ରେ କୌଣସି ମହାରାଷ୍ଟ୍ର ନବନିର୍ମାଣ ସେନା କର୍ମୀ ହନୁମାନ ଚାଳିଶା ପାଠ କରିବେ ନାହିଁ। ହେଲେ ମେ’ ୪ ପରେ ଯାହା ହେବ ସେଥିପାଇଁ ମୁଁ ଦାୟୀ ହେବି ନାହିଁ। ତାଙ୍କର ଏଭଳି ଚେତାବନୀ ପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶାଙ୍କା ଥିବାରୁ ଏବେ ମହାରାଷ୍ଟ୍ର ପୁଲିସ ହାଇଆଲର୍ଟରେ ରହିଛି।

ପୁଲିସ ପକ୍ଷରୁ କୁହାଯାଇଛି ଯେ, ମହାରାଷ୍ଟ୍ରର ସମ୍ପୂର୍ଣ୍ଣ ପୁଲିସ୍ ଫୋର୍ସ ସଜାଗ ରହିଛି ଏବଂ ରାଜ୍ୟରେ ଯେକୌଣସି ପ୍ରକାରର ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ରାଜ୍ୟ ରିଜର୍ଭ ପୁଲିସ ଫୋର୍ସ (ଏସଆରପିଏଫ)ର ୮୭ଟି କମ୍ପାନି ଏବଂ ୩୦,୦୦୦ ହୋମଗାର୍ଡଙ୍କୁ ସାରା ରାଜ୍ୟରେ ନିୟୋଜିତ କରାଯାଇଛି।