ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭାଯାତ୍ରା ବେଳେ ସେଠାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି। ଏହାଛଡ଼ା, ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯାଇଛି। ତେବେ ହିଂସା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁଥିବା ବେଳେ ପୁଲିସର ଅନୁମତି ବିନା ଶୋଭାଯାତ୍ରା କରିଥିବାରୁ ବଜରଙ୍ଗ ଦଳ ଓ ଭିଏଚପି ବିରୋଧରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଆଜି ପୁଣି ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସାକାଣ୍ଡ ଆରମ୍ଭ ହେବା ସହ ପୁଲିସ ଉପରକୁ ଢେଲା ଫିଙ୍ଗା ଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଜେରା ପାଇଁ ଜଣେ ମହିଳାଙ୍କୁ ନିଆଯିବାରୁ ସେ ଅଞ୍ଚଳର ପ୍ରାୟ ୫୦ଜଣ ମହିଳା ପ୍ରତିବାଦ ପ୍ରଦର୍ଶନ କରିବା ସହ ଢେଲା ଫିଙ୍ଗିଥିଲେ। ବିଭିନ୍ନ ଘରର ଛାତ ଉପରୁ ଢେଲାଗୁଡ଼ିକ ଫିଙ୍ଗା ଯାଇଥିବା କଥା ପ୍ରତ୍ୟକ୍ଷ୍ୟଦର୍ଶୀମାନେ କହିଛନ୍ତି। ମହିଳାଜଣକ ଜଣେ ଗିରଫ ଅଭିଯୁକ୍ତଙ୍କ ଭଉଣୀ ବୋଲି ଜଣାପଡ଼ିଛି। ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ଘଟଣା ସ୍ଥାନଠାରୁ ପ୍ରାୟ ୧୦୦ ମିଟର୍ ଦୂରରେ ଆଜିର ପ୍ରତିବାଦ ପ୍ରଦର୍ଶନ ଓ ଢେଲା ଫିଙ୍ଗାଯିବା ଘଟଣା ଆରମ୍ଭ ହୋଇଥିଲା।
ତୁରନ୍ତ ଘଟଣାସ୍ଥଳରେ ‘ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଅଫ୍ ଇଣ୍ଡିଆ’ର ‘ରାପିଡ୍ ଆକ୍ସନ୍ ଫୋର୍ସ’ ମାନବଶୃଙ୍ଖଳ (ହ୍ୟୁମାନ୍ ଚେନ୍) ଗଠନ କରାଯାଇଥିଲା। ହେଲ୍ମେଟ୍ ପିନ୍ଧିଥିବା ମହିଳା ‘ରାପିଡ୍ ଆକ୍ସନ୍ ଫୋର୍ସ’ର କର୍ମଚାରୀମାନଙ୍କୁ ସେଠାରେ ମୁତୟନ କରାଯାଇଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି ପୁଲିସ କମିସନର୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/t-36.jpg)