ପୁଣି ଖୋଲିଲା ୪ ବାୟୁସେନା ଅଧିକାରୀଙ୍କ ହତ୍ୟା ମାମଲା, ଅକ୍ଟୋବର ୧ରେ ହାଜର ହେବେ ମୁଖ୍ୟ ଅଭିଯୁକ୍ତ ୟାସିନ ମଲ୍ଲିକ

ନୂଆଦିଲ୍ଲୀ : ପ୍ରାୟ ୩୦ ବର୍ଷ ପରେ ଭାରତର ୪ ବାୟୁସେନା ଅଧିକାରୀଙ୍କ ହତ୍ୟାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । ଜମ୍ମୁର ଟାଡା ଅଦାଲତ ଏହି ମାମଲାର ଶୁଣାଣି ଆରମ୍ଭ କରିବା ସହ ଆସନ୍ତା ଅକ୍ଟୋବର ୧ରେ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଜେକେଏଲଏଫ ମୁଖ୍ୟ ୟାସିନ ମଲ୍ଲିକକୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୦ ଜାନୁୟାରୀ ୨୫ରେ ୪ ଜଣ ବାୟୁସେନା ଅଧିକାରୀ ଶ୍ରୀନଗରର ଏକ ବସଷ୍ଟପରେ ବସକୁ ଅପେକ୍ଷା କରିଥିବାବେଳେ ୟାସିନ ମଲ୍ଲିକଙ୍କ ସମେତ କେତେକ ଆତଙ୍କବାଦୀ ସେମାନଙ୍କୁ ନିର୍ମମଭାବେ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣାରେ ଜମ୍ମୁର ଟାଡା ଅଦାଲତରେ ଏକ ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ମାମଲାଟି ଏପର୍ଯ୍ୟନ୍ତ ଅଟକି ରହିଥିଲା । ସେହିବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସିବିଆଇ ୟାସିନ ମଲ୍ଲିକ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । କିନ୍ତୁ ଏହି ମାମଲାର ବିଚାର ଉପରେ ଜମ୍ମୁ ଓ କଶ୍ମୀର ହାଇକୋର୍ଟ ଗତ ୧୯୯୫ ମସିହାରେ ରୋକ ଲଗାଇଥିଲେ । ଏହି ମାମଲାକୁ ଜମ୍ମୁ ବଦଳରେ ଶ୍ରୀନଗରରେ ଚଳାଇବାକୁ ୨୦୦୮ରେ ୟାସିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ଦ୍ୱାରା ଗିରଫ ହୋଇ ୟାସିନ ଏବେ ଦିଲ୍ଲୀର ତିହାର ଜେଲରେ ଅଛି ।

ସମ୍ବନ୍ଧିତ ଖବର