ଲକ୍ଷ୍ନୌ: ୨୦୧୮ ମସିହାର ଏକ ଗଣଦୁଷ୍କର୍ମ ମାମଲାରେ ଉତ୍ତରପ୍ରଦେଶର ଜଣେ ସାମାଜିକ କର୍ମୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଉକ୍ତ ସାମାଜିକ କର୍ମୀଙ୍କ ନାମ ପରବେଜ ପରବାଜ୍‌। ୬୧ ବର୍ଷୀୟ ପରବେଜ୍‌ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ୨୦୦୭ ମସିହାର ଗୋରଖପୁର ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଯୋଗୀ ଉସୁକାଇଥିଲେ ଏବଂ ସେ ଗୋରଖପୁର ସାଂସଦ ଥିବା ସମୟରେ ଉତ୍ତେଜକ ଭାଷଣ ଦେଇ ଦଙ୍ଗା ପାଇଁ ଉସୁକାଇଥିଲେ ବୋଲି ପରବେଜ ଅଭିଯୋଗ କରିଥିଲେ। ଏନେଇ ସେ ଯୋଗୀଙ୍କ ବିରୋଧରେ ୨୦୧୭ ମସିହାରେ ଆହ୍ଲାବାଦ୍‌ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ।

Advertisment

ଅନ୍ୟପକ୍ଷେ ପରବେଜଙ୍କ ବି‌ରୋଧରେ ଅନେକ ଅପରାଧିକ ମାମଲା ରହିଛି। ଦୁଷ୍କର୍ମ ମାମଲାରେ ସେ ପୂର୍ବରୁ ଜେଲ୍‌ରେ ଅଛନ୍ତି। ଦୁଷ୍କର୍ମ ମାମଲାରେ ପରବେଜ ପରବାଜ୍‌ ଏବଂ ମହମ୍ମୁଦ ଓରଫ୍‌ ଜୁମ୍ମନ୍‌ ବାବାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସେପ୍ଟେମ୍ବର ୨୦୧‌୮ରେ ଗିରଫ ହୋଇଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ, ତାଙ୍କ ବୈବାହିକ ଜୀବନରେ କିଛି ସମସ୍ୟାର ସମାଧାନ ପାଇଁ ସେ ଜୁନ୍‌ ୩, ୨୦୧୮ରେ ଜୁମ୍ମନ୍‌ ବାବାଙ୍କ ଘରକୁ ଯାଇଥିଲେ। କିନ୍ତୁ ଜୁମ୍ମନ୍‌ ବାବା ତାଙ୍କୁ ଏକ ଏକାନ୍ତ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ତାଙ୍କ ସହ ପରବେଜ୍‌ ବି ସାମିଲ ଥିଲେ। ଏନେଇ ମହିଳା ଜଣଙ୍କ ଏକ ଏଫ୍‌ଆଇଆର ରୁଜୁ କରିଥିଲେ। ମହିଳାଙ୍କ ଏଫ୍‌ଆଇଆର ଆଧାରରେ ପରବେଜ୍‌ଙ୍କୁ ଗିରଫ କରାଯାଇଥିଲା। ପରେ ସେ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି।