ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ପ୍ରସ୍ତୁତ କରିଥିବା ପକ୍ଷପାତପୂର୍ଣ୍ଣ ଡକୁମେଣ୍ଟାରିକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି। ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଓକିଲ ତଥା ସାମାଜିକ କାର୍ଯ୍ୟକର୍ତ୍ତା ବିନୀତ ଜିନ୍ଦଲ ବିବିସି ବିରୋଧରେ ପୁଲିସରେ ଏକ ମାମଲା ରୁଜୁ କରିଛନ୍ତି। ବିନୀତ ଜିନ୍ଦଲ ଏକ ଟ୍ବିଟ୍‌ କରି କହିଛନ୍ତି, ବିବିସିର ଡକୁମେଣ୍ଟାରି ପଛରେ ବଡ଼ ଷଡ଼୍‌ଯନ୍ତ୍ର ରହିଛି। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବରେ ମୁସଲିମମାନଙ୍କୁ ହିନ୍ଦୁଙ୍କ ବିରୋଧରେ ଉତ୍ତେଜିତ କରିବାପାଇଁ ବିବିସିର ଏହା ଏକ ଯୋଜନାବଦ୍ଧ ପ୍ରୟାସ । ‘ଦେଶର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଛିଲେ। ଦେଶରେ ଏକ ସାମ୍ବିଧାନିକ ସରକାର ରହିଛି। କିନ୍ତୁ ବିବିସି ନ୍ୟୁଜ୍‌ର ଏଭଳି କାର୍ଯ୍ୟ କେବଳ ଏକ ହୀନ ଷଡ଼୍‌ଯନ୍ତ୍ରର ଅଂଶବିଶେଷ ବୋଲି ସେ କହିଛନ୍ତି। ଆଇନଜୀବୀ ଜିନ୍ଦଲ କହିଛନ୍ତି, ଦେଶର ଅଖଣ୍ଡତା ଉପରେ ଆକ୍ରମଣ କରିଥିବାରୁ ସେ ବିବିସି ବିରୋଧରେ ମାମଲା ରୁଜୁ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ବିବିସି ଡକ୍ୟୁମେଣ୍ଟାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟକୁ ଉଲ୍ଲେଖ କରାଯାଇ ତାଙ୍କ ନେତୃତ୍ବକୁ ନେଇ ବିବାଦୀୟ ଓ ବିଭ୍ରାନ୍ତିକର ଉପସ୍ଥାପନା କରାଯାଇଛି । ଭାରତକୁ ବଦାନମ କରିବା ପାଇଁ ଏହି ପ୍ରୟାସ ହୋଇଥିବାରୁ ଇଣ୍ଟରନେଟ୍‌ ବ୍ୟବହାରକାରୀ (ନେଟିଜେନ) ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ ବିବିସି ବିରୋଧରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବିସିକୁ ଏହାର ଭାରତ ବିରୋଧୀ ମାନସିକତା ମହଙ୍ଗାପଡ଼ିବ ବୋଲି ନେଟିଜେନ୍‌ମାନେ କହିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ ସାଂସଦ ଲର୍ଡ ରାମି ରେଂଜର ଆଜି କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବା ସମୟରେ ବିବିସିର ଏଭଳି କାର୍ଯ୍ୟ ଅତ୍ୟନ୍ତ କୁତ୍ସିତ।