ଚୀନ ସହ କଂଗ୍ରେସର ଚୁକ୍ତି : ସୁପ୍ରିମକୋର୍ଟରେ ସୋନିଆ ଓ ରାହୁଲଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଆଜି ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ୨୦୦୮ରେ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ କଂଗ୍ରେସ ଓ ଚୀର କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ହୋଇଥିବା ଚୁକ୍ତି ସଂପର୍କରେ ସବିଶେଷ ତଥ୍ୟ ପାଇଁ ଏହି ମାମଲା ରୁଜ୍ଜୁ କରାଯାଇଛି ।

ଏହି ଚୁକ୍ତି ସଂପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କିମ୍ବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି । ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ୧୯୬୭ ଅନୁସାରେ ଏହି ତଦନ୍ତ କରାଯାଉ ବୋଲି ସେ ନିବେଦନ କରିଛନ୍ତି ।

ଆଡଭୋକେଟ ଶଶାଙ୍କ ଶେଖର ଝା ଓ ଗୋଆ କ୍ରୋନିକ୍ଲର ସଂପାଦକ ସାଭିଓ ରୋଡ୍ରିଗସଙ୍କ ପକ୍ଷରୁ ଏହି ପିଟିସନ ଦାଏର କରାଯାଇଛି ।
ଏହି ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ ଦେଶର ସୁରକ୍ଷା ସର୍ବୋପରି ହୋଇଥିବାବେଳେ କଂଗ୍ରେସ ଦଳ ଭାରତ ପ୍ରତି ଶତ୍ରୁ ମନୋଭାବ ରଖୁଥିବା ଚୀନର ଶାସକଦଳ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା ସହ ବୁଝାମଣା କରିବା ଆଶ୍ଚର୍ଯ୍ୟଜନକ । ଉଚ୍ଚସ୍ତରୀୟ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ ଏହି ଏମଓୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ କେଉଁ ପ୍ରକାରର ସୂଚନା ଦିଆନିଆ ହେଉଛି ତାହା ଦେଶବାସୀ ଜାଣିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । କଂଗ୍ରେସ ଓ ଚୀନ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଅଗଷ୍ଟ ୭, ୨୦୦୮ରେ ଏହି ଏମଓୟୁ ହୋଇଥିଲା ।

ସମ୍ବନ୍ଧିତ ଖବର