ନୂଆଦିଲ୍ଲୀ : ଓଡ଼ିଶା ସହିତ ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇନାହିଁ। ଏ ସମ୍ପର୍କିତ ଏକ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ସୁପ୍ରିମକୋର୍ଟ ଉପରୋକ୍ତ ୪ ରାଜ୍ୟକୁ ନୋଟିସ୍ ଜାରି କରିବା ସହିତ ଜବାବ ତଲବ କରିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍. ଏ. ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଆଜି ତେଲେଙ୍ଗାନା ବାସିନ୍ଦା ପି. ମାଧବ ରାଓଙ୍କ ଦ୍ବାରା ଦାଖଲ କରାଯାଇଥିବାର ପିଟସନର ଶୁଣାଣି ହୋଇଥିଲା। କୋଭିଡ-୧୯ ମହାମାରୀ ସମୟରେ ହସ୍ପିଟାଲମାନଙ୍କରେ ଚିକିତ୍ସାର ଆବଶ୍ୟକତା ଉପଲବ୍ଧ କରାଇବାର ଆବଶ୍ୟକତା ଥିବାବେଳେ ଓଡିଶା ସମେତ ଚାରି ରାଜ୍ୟମାନଙ୍କରେ କେଉଁଥିପାଇଁ ଏହି ଯୋଜନା ଲାଗୁହୋଇନି ଏବଂ ଏହି ଯୋଜନାକୁ ଶୀଘ୍ର ଲାଗୁ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ପିଟିସନ୍ରେ ଉଲ୍ଲେଖ କରାଯାଇଛି।
ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଭାରତ ସରକାର ଗରିବ ଲୋକମାନଙ୍କୁ ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତଥା କୋଭିଡ-୧୯ର ଚିକିତ୍ସା ଓ ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବୀମା ଉପଲବ୍ଧ କରାଉଛନ୍ତି। ୪ଟି ରାଜ୍ୟକୁ ବାଦ୍ ଦେଇ ଦେଶର ସମସ୍ତ ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ୪ ରାଜ୍ୟ ଦ୍ବାରା କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ବୀମାର ଲାଭ ଯୋଗାଇ ନ ଦେବା ସମ୍ବିଧାନର ୧୪ ଓ ୨୧ ଆର୍ଟିକଲ୍କୁ ଉଲ୍ଲଘଂନ କରୁଛି ବୋଲି ଆବେଦନକାରୀଙ୍କ ଦ୍ବାରା ପିଟିସନରେ ଉଲ୍ଲେଖ କରାଯାଇଛି। ସ୍ବାସ୍ଥ୍ୟ ବୀମା ଉପଲବ୍ଧ ହେଉ ନ ଥିବା ଯୋଗୁଁ ଗରିବ ଓ ମଧ୍ୟମବର୍ଗର ଲୋକମାନେ କୋଭିଡ-୧୯ର ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି। ଆବେଦନକାରୀଙ୍କ ପକ୍ଷରୁ କେନ୍ଦ୍ର ସରକାର ଏବଂ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ଦ୍ବାରା ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ପିଟିସନରେ ପ୍ରାର୍ଥନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆଡଭୋକେଟ ହିତେନ୍ଦ୍ରନାଥ ରଥ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/ayushman-bharat_625x300_05_August_18.jpg)