ଗୁଜରାଟ ହାଇକୋର୍ଟରେ ମାମଲା: ରାଜ୍ୟ ନିର୍ଦ୍ଦେଶ ଦେଇପାରିବନି ଲୋକେ କ’ଣ ଖାଇବେ ବା ପିଇବେ!

ଗାନ୍ଧୀନଗର: ଗୁଜରାଟ ସରକାର ରାଜ୍ୟରେ ମଦକୁ ନିଷିଦ୍ଧ କରିଛନ୍ତି। ଏହା ବିରୋଧରେ ଏକାଧିକ ପିଟିସନ ଗୁଜରାଟ ହାଇକୋର୍ଟରେ ଦାଖଲ ହୋଇଛି। ବୁଧବାର ଏଗୁଡ଼ିକର ଶୁଣାଣି ହୋଇଛି। ଶୁଣାଣିବେଳେ ଜଣେ ଆବେଦନକାରୀ ଯୁକ୍ତି ବାଢ଼ିଥିଲେ ଲୋକମାନେ କ’ଣ ଖାଇବେ ବା ପିଇବେ ରାଜ୍ୟ ତାହା ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏହି ଅଯୌକ୍ତିକ ଏବଂ‌ ବେଆଇନ ବୋଲି ଆମେଦନକାରୀ ରାଜୀବ ପଟେଲ କହିଛନ୍ତି। ସମାଜ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଉ ନଥିବା ଯାଏ ନାଗରିକମାନେ କେମିତି ବଞ୍ଚିବେ ସେ ସ୍ବାଧୀନତା ସେମାନଙ୍କର ରହିଛି। ମଦର ଏଭଳି ବ୍ୟବହାରକୁ ନିଷିଦ୍ଧ କରିବା ଦ୍ବାରା ସମ୍ବିଧାନର ଧାରା ୨୧ରେ ପ୍ରଦତ୍ତ ଜୀବନ ପ୍ରତି ଅଧିକାର, ବ୍ୟକ୍ତିଗତ ସ୍ବାଧୀନତା ଏବଂ ଗୋପନୀୟତା ପ୍ରତି ଆଞ୍ଚ ଆସୁଛି ବୋଲି ଆବେଦନରେ ଦର୍ଶାଯାଇଛି। ବୁଧବାର ତୃତୀୟ ଦିନ ପାଇଁ ଏହି ଶୁଣାଣି ହୋଇଥିଲା।

ତେବେ ମଙ୍ଗଳବାର ଶୁଣାଣି ବେଳେ ଏହା ଯୁକ୍ତି କରାଯାଇଥିଲା ଯେ ଯଦି ସରକାର ମଦ ବ୍ୟବହାର ଉପରେ କଟକଣା ଲଗାଇ ପାରୁଛନ୍ତି ତାହେଲେ ଲୋକମାନେ ଘରେ କ’ଣ ଖାଇବେ ତାହା ଉପରେ ମଧ୍ୟ କଟକଣା ଜାରି କରିପାରିବେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କମଲ ତ୍ରିବେଦୀ ଏହି ଯୁକ୍ତିକୁ ବିରୋଧ କରିଥିଲେ। ସେ କହିଥିଲେ ଘର ଭିତରେ ଆମିଷ ଖାଦ୍ୟ ଖାଇବାକୁ ମଦ ସହିତ ତୁଳନା କରାଯାଇ ପାରିବ ନାହିଁ। କାରଣ ମଦ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ସେହିଭଳି ଆସନ୍ତାକାଲି ଜଣେ କହିବ ମୁଁ ମୋ ଘରେ ନିଶା ସାମଗ୍ରୀ (ସାଇକୋଟ୍ରପିକ ସବଷ୍ଟାନ୍‌ସ) ଖାଉଛି। ରାଜ୍ୟ ଏହାକୁ ନିୟନ୍ତ୍ରଣ କରିପାରିବ ନାହିଁ। ଗୋପନୀୟତା ଅଧିକାର ସହିତ କେତେକ କଟକଣା ରହିଛି। ସୁପ୍ରିମ କୋର୍ଟ ପୂର୍ବରୁ ଗୁଜରାଟ ପ୍ରୋଭିବିସନ ଆକ୍ଟକୁ ୧୯୫୧ରେ କାଏମ ରଖିଛନ୍ତି। ତେଣୁ ହାଇକୋର୍ଟ ଏହାର ବୈଧତାକୁ ଯାଞ୍ଚ କରିପାରିବେ ନାହିଁ ବୋଲି ସେ କହିଥିଲେ। ଏହି ମାମଲାର ଶୁଣାଣି ଶେଷ ହୋଇଛି ଏବଂ ରାୟ ସଂରକ୍ଷିତ ରହିଛି।

ସମ୍ବନ୍ଧିତ ଖବର