ସୁପ୍ରିମକୋର୍ଟଙ୍କ ଆମିକସ କ୍ୟୁରିଙ୍କୁ ଜଣାଇଲେ ହାଇକୋର୍ଟ : ସ୍ବତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ ହୋଇଛି ମାମଲା

ନୂଆଦିଲ୍ଲୀ : ଓଡ଼ିଶାର କିଛି ଜିଲ୍ଲାମାନଙ୍କରେ ଷ୍ଟାଚୁଟୋରୀ ସ୍ପେଶାଲ କୋର୍ଟରେ ରହିଥିବା ମାମଲାକୁ ସ୍ବତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ କିଛି ଜିଲ୍ଲାମାନଙ୍କରେ ଷ୍ଟାଚୁଟୋରୀ ସ୍ବତନ୍ତ୍ର କୋର୍ଟରେ ମାମଲା ଗୁଡିକ ଚାଲିଛି। ଓଡିଶାରେ ସାଂସଦ ଓ ବିଧାୟକ ମାନଙ୍କର ଆପରାଧିକ ମାମଲା ବିଚାର ପାଇଁ ଚାରିଟି ସ୍ବତନ୍ତ୍ର କୋର୍ଟ ରହିଛି। ତେଣୁ, ଆଉ ଅତିରିକ୍ତ କୋର୍ଟର ଆବଶ୍ୟକତା ନାହିଁ। କିଛି କୋର୍ଟମାନଙ୍କରେ ବି ଭିଡିଓ କନ୍‌ଫେରେନ୍ସିଂ ସହିତ ଅତିରିକ୍ତ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକଶ କ୍ୟୁରି ବିଜୟ ହଂସାରିଆଙ୍କୁ ଅବଗତ କରାଯାଇଛି।

ଉଲ୍ଲେଖ ଯୋଗ୍ୟ, ସାଂସଦ ଓ ବିଧାୟକ ମାନଙ୍କର ବିରୋଧରେ ଆପରାଧିକ ମାମଲାର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟରେ ଜାରି ରହିଛି। ଏହି ମାମଲାରେ ଆବେଦନକାରୀ ଅଶ୍ବିନୀ ଭାରଦ୍ବାଜ ସାଂସଦ ଓ ବିଧାୟକ ମାନଙ୍କ ବିରୋଧରେ ବିଚାରାଧୀନ ଥିବା ଆପରାଧିକ ମାମଲା ଗୁଡିକର ତ୍ବରନ୍ତ ଫଇସଲା ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ ସଂକ୍ରାନ୍ତରେ ବିଚାରପତି ଏନ.ଭି. ରାମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି, ବର୍ତ୍ତମାନ ଓ ପୂର୍ବତନ ସାଂସଦ ଓ ବିଧାୟକ ମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲାର ତ୍ବରିତ ଶୁଣାଣି ପ୍ରକ୍ରିୟା ୨୦୧୬ ମସିହାରୁ ଆରମ୍ଭ ହୋଇଛି। ମାଡ୍ରାସ ହାଇକୋର୍ଟକୁ ବାଦ୍ ଦେଲେ ଅନ୍ୟ କୌଣସି ହାଇକୋର୍ଟ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠାକୁ ନେଇ ଆପତ୍ତି କରିନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ହାଇକୋର୍ଟ ମାନଙ୍କୁ ମାମଲାର ପରିଚାଳନା ପାଇଁ ସ୍ବାଧୀନତା ଦିଆଯାଇଛି। ଏହି ମାମଲାକୁ ନେଇ ଆଗକୁ ମଧ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ନେତାମାନଙ୍କୁ ନିର୍ବାଚନ ଲଢିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଠାରୁ ଖଣ୍ଡପୀଠ ଜବାବ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର