ପ୍ରିୟା ପ୍ରକାଶଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ନାହିଁ

ନୂଆଦିଲ୍ଲୀ: ଭାଲେଷ୍ଟାଇନ ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ମାଲୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ବିରୋଧରେ ସମସ୍ତ ଅପରାଧିକ ମାମଲା ଉପରେ ଆଜି ସୁପ୍ରିମକୋର୍ଟ ରୋକ୍‌ ଲଗାଇଛନ୍ତି। ପ୍ରିୟାଙ୍କ ବିରୋଧରେ ତେଲେଙ୍ଗାନାରେ ହୋଇଥିବା ଏକ ଏଫ୍‌ଆଇଆର ରଦ୍ଦ କରିବାପାଇଁ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଆରମ୍ଭ କରିବାନେଇ ରାଜ୍ୟଗୁଡ଼ିକୁ ବାରଣ କରିବାପାଇଁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ । କେରଳର ଥ୍ରିସୁର ଜିଲ୍ଲାର ୧୮ ବର୍ଷୀୟା ବାଣିଜ୍ୟ ଛାତ୍ରୀ ପ୍ରିୟା ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ମାଲୟଲମ୍‌ ସଂଗୀତ ‘ମାଣିକ୍ୟ ମଲରିୟା ପୁଭି’ରେ ତାଙ୍କ ଅଭିବ୍ୟକ୍ତିକୁ ଆପତ୍ତିଜନକ ଦର୍ଶାଇ ତାଙ୍କ ବିରୋଧର ହାଇଦ୍ରାବାଦ୍‌ର ଫଲକନାମା ପୁଲିସ ଷ୍ଟେସନ୍‌ରେ ଗତ ଫେବ୍ରୁଆରି ୧୪ ତାରିଖରେ ଏଫ୍‌ଆଇଆର ରୁଜୁ ହୋଇଥିଲା। ଏହାପରେ ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ମଧ୍ୟ ତାଙ୍କ ବିରୋଧରେ ଅନେକ ବ୍ୟକ୍ତି ଅପରାଧିକ ଅଭିଯୋଗ ଆଣିଥିବାରୁ ଏଥିରୁ ତାଙ୍କୁ ସୁରକ୍ଷା ଆବଶ୍ୟକ ବୋଲି ସେ କୋର୍ଟଙ୍କୁ କହିଥିଲେ। ପ୍ରିୟାଙ୍କ ଆବେଦନକ୍ରମେ ଆଜି ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅପରାଧିକ ମାମଲାଗୁଡ଼ିକ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଅଭିନେତ୍ରୀ ପ୍ରିୟା ପ୍ରକାଶ ମାଲୟଲମ୍‌ ଫିଲ୍ମ ‘ଓଡୁ ଆଡାର ଲଭ୍‌’ର ସଂଗୀତ ‘ମାଣିକ୍ୟ ମଲରାୟ ପୁଭି’ରେ ଦେଇଥିବା ଅଭିବ୍ୟକ୍ତି ପାଇଁ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର