ନୂଆଦିଲ୍ଲୀ: ଆମେରିକା ପୁଲିସର ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ଚଳିତବର୍ଷ ଜାନୁଆରିରେ ଆନ୍ଧ୍ର ପ୍ରଦେଶର ୨୩ ବର୍ଷୀୟା ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇ ନଥିଲା ଆମେରିକା ପୁଲିସର ଆଚରଣକୁ ନେଇ ତମ୍ବିତୋଫାନ ଦେଖାଦେଇଛି।
ମୃତ୍ୟୁ ପରେ ସିଆଟେଲର ଜଣେ ପୁଲିସ ଅଫିସର ବେପରୁଆ ମନ୍ତବ୍ୟ ଦେବା ସହିତ ନିଷ୍ଠୁର ଭାବେ ହସିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ପୁଲିସ ଅଫିସରଙ୍କ ଏଭଳି ଆଚରଣକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ କଡ଼ା ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ ଆମେରିକା ଏବଂ ସାରା ବିଶ୍ବର ଲୋକମାନେ ମଧ୍ୟ ପୁଲିସର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି। ଏହା ପରେ ଉକ୍ତ ଘଟଣାରେ ବାଇଡେନ ପ୍ରଶାସନ ହସ୍ତକ୍ଷେପ କରିଛି। ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ବିସ୍ତୃତ ତଦନ୍ତ କରାଯିବ ବୋଲି କୁହାଯାଇଛି। ଛାତ୍ରୀ ମୃତ୍ୟୁ ଘଟଣାରେ ଆମେରିକାର ପୁଲିସ ଅଫିସର ହସୁଥିବାର ଭିଡିଓ ପ୍ରସଙ୍ଗରେ ଭାରତର ଜଣେ ବରିଷ୍ଠ ଅଧିକାରୀ ଆପତ୍ତି ଉଠାଇଛନ୍ତି। ଏଥିସହିତ ଆମେରିକାରେ ଏହି ଘଟଣାର ତଦନ୍ତ ଅଗ୍ରଗତିକୁ ସେ ଅତି ନିକଟରୁ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି।
ଜାହ୍ନବୀ କାଣ୍ଡୁଲାଙ୍କୁ ଧକ୍କା ଦେଇଥିବା ପୁଲିସ ଗାଡ଼ିକୁ ଅଫିସର କେଭିନ ଡାଭେ ୧୧୯ କିମି ବେଗରେ ଚଲାଉଥିଲେ। ଛାତ୍ରୀଙ୍କୁ ତାଙ୍କ ଗାଡ଼ି ଏତେ ଜୋରରେ ଧକ୍କା ଦେଇଥିଲା ଯେ ତାଙ୍କ ଶରୀର ୧୦୦ ଫୁଟ ଦୂରକୁ ଫିଙ୍ଗି ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଡାଭେ ଆହତ ହୋଇଛନ୍ତି କି ତାହା ଜାଣିବା ଲାଗି ସିଆଟେଲ ପୁଲିସ ଅଧିକାରୀଙ୍କ ଉପସଭାପତି ଡାନିଏଲ ଅଡରର ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ଅଧିକାରୀ ଅଡରର ଚକିତ କରିବା ଭଳି ମନ୍ତବ୍ୟ ସେତେବେଳେ ଦେଇଥିଲେ। ତାଙ୍କର ସେହି ମନ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ପୁଲିସ ବିଭାଗ ପକ୍ଷରୁ ପ୍ରକାଶିତ ଭିଡିଓରେ ଦେଖିବାକୁ ମିଳିଛି ଯେ ଅଡରର ହସିବା ସହିତ କହୁଛନ୍ତି କାଣ୍ଡୁଲାଙ୍କ ଜୀବନର ମୂଲ୍ୟ ସୀମିତ। ଏପରିକି କାଣ୍ଡୁଲାଙ୍କ ବୟସ ଭୁଲରେ ସେ ୨୬ ବର୍ଷ କହିବା ସହିତ ୧୧ ହଜାର ଡଲାରର ଏକ ଚେକ୍ ଦେବାପାଇଁ କହୁଛନ୍ତି। ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ରୀଜଣକ ସିଆଟେଲର ନର୍ଥଇଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ପଢ଼ୁଥିଲେ। ୨୦୨୧ରେ ସେ ଛାତ୍ର ବିନିମୟ କାର୍ଯ୍ୟକ୍ରମରେ ଆମେରିକା ଯାଇଥିଲେ। ତାଙ୍କ ପାଠପଢ଼ା ଚଳିତବର୍ଷ ଶେଷ ହୋଇଥାନ୍ତା।