ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମଥୁରାର କୃଷ୍ଣ ଜନ୍ମଭୂମି ନିକଟରେ ବେଆଇନ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇ ଦେଇଛନ୍ତି। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏଠାରେ କୌଣସି ଉଚ୍ଛେଦ କାର୍ଯ୍ୟ ହୋଇପାରିବନି। ସମ୍ପୃକ୍ତ ସ୍ଥାନରେ ସ୍ଥିତାବସ୍ଥା ବଜାୟ ରଖିବାପାଇଁ ଜ‌ଷ୍ଟିସ ଅନିରୁଦ୍ଧ ବୋଷ, ସଂଜୟ କୁମାର ଏବଂ ଏସଭିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ କହିଛନ୍ତି। ଉକ୍ତ ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, କୃଷ୍ଣ ଜନ୍ମଭୂମି ନିକଟରେ ଥିବା ବେଆଇନ ନିର୍ମାଣଗୁଡ଼ିକୁ ‌ରେଳବାଇ କର୍ତ୍ତୃପକ୍ଷ ଉଚ୍ଛେଦ କରୁଛନ୍ତି। ଆବେଦନକାରୀଙ୍କ ଓକିଲ ୟାକୁବ ଶାହ କହିଛନ୍ତି, ପାଖାପାଖି ୧୦୦ ଘର ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ଆଉ ୭୦-୮୦ ଘର ରହିଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ଅନାବଶ୍ୟକ। ସେମାନେ ଉତ୍ତରପ୍ରଦେଶ କୋର୍ଟ ବନ୍ଦ ଥିବା ଦିନ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଆସନ୍ତା ସପ୍ତାହରେ ଉକ୍ତ ମାମଲାକୁ ପୁଣିଥରେ ତାଲିକାଭୁକ୍ତ କରିବାପାଇଁ କୋର୍ଟ କହିଛନ୍ତି।