ପୁଣେ: ୟୁପିଏସ୍‌ସି ପ୍ରାର୍ଥିତ୍ୱରେ ମିଥ୍ୟା ଦାବି, ଚାକିରି ପାଇବା ପରେ କ୍ଷମତାର ଅପବ୍ୟବହାର ଏବଂ ଏବେ ତାଙ୍କ ମା'ଙ୍କ ବିରୋଧରେ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକଚମକ ଦେବା ଅଭିଯୋଗ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଦକରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଖେଦକରଙ୍କ ମା’ ହାତରେ ବନ୍ଧୁକ ଧରି କିଛି କୃଷକଙ୍କୁ ଧମକ ଦେଉଥିବାର ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ପୁଣେ ପୁଲିସ ଆଜି ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

Advertisment

ଭିଡିଓରେ ମନୋରମା ଖେଦକର ମୁଲଶୀରେ ଜମି ବିବାଦକୁ ନେଇ ସ୍ଥାନୀୟ ଚାଷୀଙ୍କ ସହ ଗଣ୍ଡଗୋଳ କରିବା ଓ ପିସ୍ତଲ ଦେଖାଇ ସେମାନଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ଜନଅସନ୍ତୋଷ ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ପୁଣେ ପୁଲିସ ତାଙ୍କ ବିରୋଧରେ ଆପରାଧିକ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି। ଏତଲାରେ ପୂଜାଙ୍କ ବାପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦିଲୀପ ଖେଦକରଙ୍କ ନାମ ମଧ୍ୟ ଅଭିଯୁକ୍ତ ଭାବେ ରହିଛି। ପୁଲିସ ଅଧୀକ୍ଷକ ପଙ୍କଜ ଦେଶମୁଖ ସ୍ପଷ୍ଟ କରିଛନ୍ତି, ବର୍ଷେ ତଳେ ଏହି ଘଟଣା ଘଟିଥିଲା। ଯାହାଙ୍କ ସହ ଏହି ଘଟଣା ଘଟିଛି ଆମେ ତାଙ୍କୁ ପଚାରିଛୁ। ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୂଜା ଖେଦକର ହେଉଛନ୍ତି ୨୦୨୩ ବ୍ୟାଚ୍ ଆଇଏଏସ୍ ଅଫିସର ଯିଏ କି ୟୁପିଏସ୍‌ସି ପରୀକ୍ଷାରେ ସର୍ବଭାରତୀୟ ରୢାଙ୍କ ୮୪୧ ହାସଲ କରିଛନ୍ତି। ୟୁପିଏସ୍‌ସି ପରୀକ୍ଷା ସମୟରେ ଓବିସି ନନ୍-କ୍ରିମି ଲେୟାର ପରୀକ୍ଷାର୍ଥୀ ଭାବରେ ନିଜକୁ ଉପସ୍ଥାପନ କରିବା ସହ ମିଥ୍ୟା ଭିନ୍ନକ୍ଷମ ପ୍ରମାଣପତ୍ର ଦେବା ଅଭିଯୋଗରେ ୨୪ ବର୍ଷୀୟା ଏହି ଯୁବତୀ ଏବେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ କୃଷକମାନେ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଖେଦକର ପରିବାର ବିରୋଧରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ତାହା ଗ୍ରହଣ କରି ନ ଥିଲା।