ନୂଆଦିଲ୍ଳୀ: କେରଳ, ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭା ଦ୍ବାରା ଗୃହୀତ ହୋଇଥିବା ବିଲ୍‌ଗୁଡ଼ିକୁ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳ ଅଟକାଇବା ବିରୋଧରେ ଉଭୟ ରାଜ୍ୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଦୁଇ ରାଜ୍ୟର ରାଜ୍ୟପାଳଙ୍କୁ ନୋଟିସ ଜାରି କରି ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି।

Advertisment

କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳ ଖଣ୍ଡପୀଠଙ୍କ ନିକଟରେ ମାମଲା ଉପସ୍ଥାପନ କରି କହିଛନ୍ତି, ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍‌ ଅନୁମୋଦନ ନକରି ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ। ଏହାକୁ ସେ ବିରୋଧ କରୁଛନ୍ତି। ସଂପ୍ରତି ୮ଟି ବିଲ୍‌ ମଧ୍ୟରୁ ଦୁଇଟି ୨୩ ମାସ ଧରି ପଡ଼ିରହିଛି। ଅନ୍ୟ ଏକ ବିଲ୍‌ ୧୫ ମାସ ଧରି ରାଜ୍ୟପାଳଙ୍କ ନିକଟରେ ଅଟକି ରହିଛି। ଆଉ ଏକ ବିଲ୍‌ କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ୧୩ ମାସ ଧରି ପଡ଼ିରହିଛି। ଅନ୍ୟଗୁଡ଼ିକ ୧୦ ମାସ ଧରି ଅଟକି ରହିଛି। ରାଜ୍ୟ-କେନ୍ଦ୍ର ମଧ୍ୟରେ ସମ୍ପର୍କ ନଥିବା ବିଲ୍‌ଗୁଡ଼ିକୁ ମଧ୍ୟ ରାଷ୍ଟ୍ରପତିଙ୍କ ସମୀକ୍ଷା ନିମନ୍ତେ ପଠାଯାଇଛି। ଏହା ସମ୍ବିଧାନର ଧାରା ୧୪ର ବିରୋଧ ଅଟେ ଏବଂ ରାଜ୍ୟପାଳ ସମ୍ବିଧାନର ଧାରା ୨୦୦ ଅନୁସାରେ କାମ କରୁନାହାନ୍ତି। ଏହା ରାଜ୍ୟ ପରିଚାଳନାର ଏକ ଚିନ୍ତାଜନକ ସ୍ଥିତି। ଏନେଇ କୋର୍ଟ ସଠିକ ନିର୍ଦ୍ଦେଶାବଳି ଜାରି କରନ୍ତୁ। ସେହିଭଳି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଂଘଭି ନିଜର ଆବେଦନ ଉପସ୍ଥାପିତ କରି ଅନୁରୂପ ଭାବେ ବିଧାନସଭା ଦ୍ବାରା ଆଗତ ବିଲ୍‌କୁ ଅଟକାଇବାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ଯେତେବେଳେ କୋର୍ଟରେ ଶୁଣାଣି ହୁଏ ସେତେବେଳେ କିଛି ବିଲ୍‌କୁ ଅନୁମୋଦନ ମିଳିଥାଏ। ତାମିଲନାଡ଼ୁ ମାମଲାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମଳିଛି।

ସ୍ବଳ୍ପକାଳୀନ ଶୁଣାଣିରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପର୍ଦ୍ଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୌଣସି ମତ ନଦେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଚିବଙ୍କ ଜରିଆରେ କେନ୍ଦ୍ର ସରକାର, ଅତିରିକ୍ତ ମୁଖ୍ୟ ସଚିବଙ୍କ ଜରିଆରେ କେରଳ ଓ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନୋଟିସ୍‌ ଜାରି କରିଛନ୍ତି।