‘ହିନ୍ଦୁ ଆତଙ୍କବାଦ’ ଟିପ୍ପଣୀ: କମଲ୍‌ ହାସନ୍‌ଙ୍କ ନାମରେ ରୁଜୁ ହେଲା ମାନହାନୀ ମୋକଦ୍ଦମା

ନୂଆଦିଲ୍ଲୀ: ଅଭିନେତା କମଲ ହାସନ୍‌ ଗୁରୁବାର ‘ହିନ୍ଦୁ ଆତଙ୍କବାଦ’ ଉପରେ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ କି ଦକ୍ଷିଣ ପନ୍ଥୀମାନେ ବର୍ତ୍ତମାନ ବାହୁବଳ (ମସଲ୍‌ ପାଓା୍ଵର) ବ୍ୟବହାର କରି ହିଂସାରେ ସାମିଲ ହୋଇଛନ୍ତି ଓ ହିନ୍ଦୁ କ୍ୟାମ୍ପରେ ଆତଙ୍କବାଦ ପ୍ରବେଶ କରିିଛି । କେହି କହି ପାରିବେ ନାହିଁ କି ‘ହିନ୍ଦୁ ଆତଙ୍କବାଦୀ’ଙ୍କ ଅସ୍ତିତ୍ୱ ନାହିଁ ବୋଲି।
ଏହି ଟିପ୍ପଣୀ ଦେବା କମଲଙ୍କୁ ମହଙ୍ଗା ପଡ଼ିଛି। ଶନିବାର ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ ହୋଇଛି। କମଲଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୫୦୦,୫୧୧,୨୯୮,୨୯୫(ଏ), ୫୦୫ (ସି)ରେ ରୁଜୁ ହୋଇଛି ମାମଲା।

କମଲଙ୍କ ଏହି ଟିପ୍ପଣୀ ଉପରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଜିଭିଏଲ ନରସିଂହ ରାଓ ତାଙ୍କୁ ଲକ୍ସର-ଏ-ତୋଇବାର ସଂସ୍ଥାପକ ହାଫିଜ ସଇଦଙ୍କ ସହ ତୁଳନା କରିଛନ୍ତି। ଏଥିସହିତ ତାଙ୍କର ଏହି ଟିପ୍ପଣୀ ପାଇଁ କମଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବି ଅନେକ ଦାବି କରିଛନ୍ତି।

ସମ୍ପ୍ରତି କମଲ ହାସନ ନିଜର ଏକ ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ନଭେମ୍ବର ୭ରେ ନିଜ ଜନ୍ମ ଦିନରେ କମଲ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ବୋଲି ବି ଶୁଣିବାକୁ ମିଳିଛି। ଏଥିପାଇଁ ଫ୍ୟାନ୍‌ ଫଲୋୟର୍ସମାନଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି କମଲ।

କମଲ ହାସନ୍‌ ଚେନ୍ନାଇରେ ନିଜ ଘରେ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିଥିଲେ। ପାର୍ଟିରେ ଯୁବ ଓ ନୂତନ ଚେହେରା ଦରକାର ବୋଲି କହିଥିଲେ। ଏହାପୂର୍ବରୁ ସେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଭେଟି ସେ କୌଣସି ବାମ କିମ୍ବା ଦକ୍ଷିଣପନ୍ଥୀ ପାର୍ଟିରେ ମିଶିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରି ଦେଇଥିଲେ। ଅନ୍ୟପକ୍ଷରେ କମଲ ଏହା ବି କହିଥିଲେ କି, ମୋର ଗୋରୁଆ ରଙ୍ଗ ବି ଖାସ୍‌ ପସନ୍ଦ ନୁହେଁ। ଏହା ବିଜେପି ଓ ଆରଏସ୍‌ଏସ୍‌ ପାଇଁ ତେର୍ଚ୍ଛାବାଣ କମଲ ଛାଡ଼ିଥିବା ସାଧାରଣରେ ଚର୍ଚ୍ଚା ଚାଲିଥିଲା।

ସୂଚନାଯୋଗ୍ୟ, ରାଜନେତା ଭାବେ ଜୀବନ ଆରମ୍ଭ କରିବାକୁ ଯାଉଥିବା ଅଭିନେତା କମଲ ହାସନ୍‌ ଗୁରୁବାର କହିଥିଲେ କି କେହି କହି ପାରିବେ ନାହିଁ କି ‘ହିନ୍ଦୁ ଆତଙ୍କବାଦୀ’ଙ୍କ ଅସ୍ତିତ୍ୱ ନାହିଁ ବୋଲି। ହିନ୍ଦୁ କଠୋରପନ୍ଥୀ ପ୍ରଥମେ କଥାବାର୍ତ୍ତାରେ ବିଶ୍ୱାସ ରଖୁଥିଲେ, କିନ୍ତୁ ଏବେ ହିଂସାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର