ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ପଞ୍ଜୀକୃତ ମାମଲା: ଓଡ଼ିଶାରେ ୪୨୭୬ ମଧ୍ୟରୁ ୧୦୪୦ ଫୈସଲା

ନୂଆଦିଲ୍ଲୀ : ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଗତ ୫ ବର୍ଷରେ ପଞ୍ଜୀକୃତ ଓଡ଼ିଶାର ସମୁଦାୟ ୪ ହଜାର ୨୭୬ ମାମଲା ମଧ୍ୟରୁ କେବଳ ଏକ ହଜାର ୪୦ଟି ମାମଲାର ଫୈସଲା ହୋଇଛି। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ।

ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଓଡ଼ିଶାରେ ୨୦୧୬-୧୭ରେ ପଞ୍ଜୀକୃତ ୬୧ଟି ମାମଲାରୁ ୫୫ଟି ମାମଲାର ଫୈସଲା ହୋଇଛି । ସେହିଭଳି ୨୦୧୭-୧୮ରେ ପଞ୍ଜୀକୃତ ୭୫ଟି ମାମଲା ମଧ୍ୟରୁ ୫୨ଟି ମାମଲାର ଫୈସଲା ହୋଇଥିଲା। ୨୦୧୮-୧୯ରେ ୧୨୫ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୮୫ଟି ମାମଲା ଫୈସଲା ହୋଇଛି। ୨୦୧୯-୨୦ରେ ସର୍ବାଧିକ ୩ ହଜାର ୮୯୯ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ କେବଳ ୬୫ଟି ମାମଲାର ‌ଫୈସଲା ହୋଇଛି।

ଅପରପକ୍ଷେ ୨୦୨୦-୨୧ରେ ପଞ୍ଜୀକୃତ ମାମଲା ସଂଖ୍ୟା ୧୬୬ ଥିବା ବେଳେ ଫୈସଲା ହୋଇଛି ୭୮୩। ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଗତ ୫ ବର୍ଷରେ ସମୁଦାୟ ୫ ହଜାର ୮୫ଟି ପଞ୍ଜୀକୃତ ମାମଲାରୁ ୨ ହଜାର ୮୩ଟି ଫୈସଲା ହୋଇଥିବା କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତରରେ କୁହାଯାଇଛି। କେବଳ ଜମ୍ମୁ-କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଂଚଳକୁ ବାଦ ଦେଲେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସ୍ଥାପନ ହୋଇଥିବା ଉତ୍ତରରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର