ମୋ ଘରୁ ମିଳିିଥିବା ଟଙ୍କା ପାର୍ଥ ଚାଟାର୍ଜୀଙ୍କର ଥିଲା; ଜେରା ବେଳେ ଇଡିକୁ କହିଲେ ଅର୍ପିତା

କୋଲକାତା: ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଶନିବାର ଦିନ ଇଡି ଗିରଫ କରିଥିଲା । ଶୁକ୍ରବାର ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢ଼ଉ କରି ନଗଦ ୨୧ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ପ୍ରଥମେ ଇଡିର କୌଣସି ପ୍ରଶ୍ନର ଜବାବ ଦେଇନଥିବା ଅର୍ପିତା ଏବେ ନିଜର ମୁହଁଁ ଖୋଲିଛନ୍ତି। ଘରୁ ମିଳିଥିବା ଗଦା ଗଦା ଟଙ୍କା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଥିଲା ବୋଲି ଇଡିକୁ କହିଛନ୍ତି ଅର୍ପିତା।

ପଚରାଉଚରା ବେଳେ ଅଭିନେତ୍ରୀ କହିଛନ୍ତି ଯେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନଗଦ ଟଙ୍କା ତାଙ୍କ ଘରୁ ବାହାରକୁ ଅଣାଯିବା ଯୋଜନା ଥିଲା। ଏହି ଟଙ୍କା ଅର୍ପିତାଙ୍କ ସହ ଜଡ଼ିତ କମ୍ପାନିରେ ନିବେଶ କରାଯିବାର ଥିଲା। କିନ୍ତୁ ଏଜେନ୍ସି ଚଢ଼ଉ କରିବାରୁ ଏହି ଯୋଜନା ଭଣ୍ଡୁର ହୋଇଥିଲା ବୋଲି  କହିଛନ୍ତି ଅର୍ପିତା। ଏହା ସହ ଅର୍ପିତା ଏବଂ ପାର୍ଥ ଚାଟାର୍ଜୀ ମିଶି ଏକ ଜମି କିଣିଥିବା କହିଛି ଇଡି।

ଉ‌ଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡିର ଏକ ୮ ଜଣିଆ ଟିମ୍‌ ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ରେ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ସେହି ଦିନ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି। ତେବେ ପାର୍ଥଙ୍କୁ ଇଡି ଦୁଇ ଦିିନିଆ ରିମାଣ୍ଡରେ ନେଇଥିବା ବେଳେ ଅର୍ପିତାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ଇଡି।

ସମ୍ବନ୍ଧିତ ଖବର