ନୂଆଦିଲ୍ଲୀ: ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ତାଙ୍କୁ ହଟାଇବାକୁ ସୁପାରିସ କରିଥିବା ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟକୁ ଚ୍ୟାଲେଞ୍ଜ କରି ଜଷ୍ଟିସ୍ ବର୍ମା ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଗୁରୁବାର ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ରାୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସଂସଦ ବାଟ ସଫା କରିଛି।
ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆଭ୍ୟନ୍ତରୀଣ କମିଟି ଗଠନ ଓ ଏହାଦ୍ୱାରା ଅନୁସରଣ କରାଯାଇଥିବା ତଦନ୍ତ ପ୍ରକ୍ରିୟା ବେଆଇନ ନୁହେଁ। ସିଜେଆଇ ଓ ଆଭ୍ୟନ୍ତରୀଣ କମିଟି ଫଟୋ ଓ ଭିଡିଓ ଅପଲୋଡ୍ କରିବା ବ୍ୟତୀତ ଏହି ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ଅନୁସରଣ କରିଥିଲେ। ସେତେବେଳେ ଆପଣ (ଜଷ୍ଟିସ ବର୍ମା) ଏହାକୁ ଚ୍ୟାଲେଞ୍ଜ କରି ନ ଥିଲେ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ପଠାଇବା ଅସାମ୍ବିଧାନିକ ନୁହେଁ ବୋଲି ବୋଲି କୋର୍ଟ କହିଛନ୍ତି। ଗତ ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ଯଦି ଜଷ୍ଟିସ୍ ବର୍ମା ଏହାକୁ ଅସାମ୍ବିଧାନିକ ବୋଲି ବିଶ୍ୱାସ କରନ୍ତି ତେବେ ପ୍ରାରମ୍ଭରେ କମିଟି ଗଠନକୁ କାହିଁକି ବିରୋଧ କରି ନ ଥିଲେ।
ରାଷ୍ଟ୍ରପତିଙ୍କ ନିକଟକୁ ରିପୋର୍ଟ ପଠାଇବା ପୂର୍ବରୁ ତାଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇ ନାହିଁ ବୋଲି ବିଚାରପତିଙ୍କ ଯୁକ୍ତି ଉପରେ ଅଦାଲତ କହିଛନ୍ତି ଯେ ପ୍ରକ୍ରିୟା ଅନୁଯାୟୀ ଏହା କରିବା ଆବଶ୍ୟକ ନୁହେଁ। ଆବେଦନକାରୀଙ୍କ ମୌଳିକ ଅଧିକାରର କୌଣସି ଉଲ୍ଲଂଘନ ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆଭ୍ୟନ୍ତରୀଣ ପ୍ରକ୍ରିୟା ଆଇନଗତ ପବିତ୍ରତା ବହନ କରେ ଏବଂ ସାମ୍ବିଧାନିକ ଢାଞ୍ଚା ବାହାରେ ଏହା ଏକ ସମାନ୍ତରାଳ ବ୍ୟବସ୍ଥା ନୁହେଁ। ଶୁଣାଣି ସମୟରେ ଜଷ୍ଟିସ୍ ବର୍ମାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ବାଢ଼ିଥିଲେ ଯେ ବିଚାରପତିଙ୍କ ବହିଷ୍କାର ପାଇଁ ସୁପାରିସ କରିବା ଲାଗି ଆଭ୍ୟନ୍ତରୀଣ କମିଟିକୁ କ୍ଷମତା ଦିଆଯାଇନାହିଁ ଏବଂ ଏହାର ପରିସର ପ୍ରଧାନ ବିଚାରପତିଙ୍କୁ ପରାମର୍ଶ ଦେବାରେ ସୀମିତ ରହିଛି। ଗତ ମାର୍ଚ୍ଚ ୧୪ ତାରିଖରେ ଦିଲ୍ଲୀରେ ଥିବା ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିବା ପରେ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିଲା। ସେତେବେଳେ ବିଚାରପତି ତାଙ୍କ ବାସଭବନରେ ନ ଥିଲେ। ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ଆଭ୍ୟନ୍ତରୀଣ ତଦନ୍ତ କମିଟି ଏହି ଅଭିଯୋଗରେ ଯଥେଷ୍ଟ ସତ୍ୟତା ଥିବା ଜାଣିବାକୁ ପାଇଥିଲା। ଯେଉଁ କୋଠରିରେ ନଗଦ ଟଙ୍କା ମିଳିଥିଲା ସେହି କୋଠରି ଉପରେ ଜଷ୍ଟିସ ବର୍ମା ଓ ତାଙ୍କ ପରିବାର ସଦସ୍ୟଙ୍କ ସକ୍ରିୟ ନିୟନ୍ତ୍ରଣ ଥିଲା ଏବଂ ତାଙ୍କୁ ହଟାଇବାକୁ ସୁପାରିସ କରାଯାଇଥିଲା।
ନଗଦ ଟଙ୍କା ମିଳିବା ମାମଲା: ଜଷ୍ଟିସ୍ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ
ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ତାଙ୍କୁ ହଟାଇବାକୁ ସୁପାରିସ କରିଥିବା ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟକୁ ଚ୍ୟାଲେଞ୍ଜ କରି ଜଷ୍ଟିସ୍ ବର୍ମା ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଗୁରୁବାର ତାଙ୍କ ଆବେଦନକୁ...
/sambad/media/media_files/2025/08/08/untitled-2-2025-08-08-06-11-33.jpg)