ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ମମତା ଚୁପ ରହିଛନ୍ତି କାହିଁକି ?

କୋଲକାତା :  ଦୁର୍ନୀତି ଅଭିଯୋଗରେ ପଶ୍ଚିମବଙ୍ଗର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡି ଦ୍ବାରା ଗିରଫ ହେବା ପରେ ବ୍ୟାକଫୁଟରେ ପଳାଇଆସିଛି ‌ତୃଣମୂଳ କଂଗ୍ରେସ । ଖୋଦ ମୁଖ୍ୟମନ୍ତ୍ରୀ ମମତା ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି ।

ସାଧାରଣତଃ କୌଣସି କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ଟିଏମସି କିମ୍ବା ପଶ୍ଚିମବଙ୍ଗ ସରକାରଙ୍କ କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନିଜେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରନ୍ତି ଓ ରାଜନୈତିକ ପ୍ରତିଶୋଧ ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିଙ୍କୁ ପ୍ରୟୋଗ କରୁଛି ବୋଲି ଅଭିଯୋଗ କରନ୍ତି । କିନ୍ତୁ ଏଥର ତାଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ମନ୍ତ୍ରୀଙ୍କୁ ଇଡି ଗିରଫ କରାଯିବା ପରେ ସେ ଏପର୍ଯ୍ୟନ୍ତ ଚୁପ ରହିଛନ୍ତି ।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଘଟଣା ବିଶେଷକରି ଏତେ ଟଙ୍କା ଧରା ହେବାର ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଟିଏମସି ବ୍ୟାକଫୁଟକୁ ପଳାଇଆସିଛି । ଦଳ ପାର୍ଥଙ୍କଠାରୁ ନିଜକୁ ଦୂରେଇବାକୁ ଚାହୁଁଛି । ଏଥିପାଇଁ ଏ ସଂପର୍କରେ ମମତା ଚୁପ ରହିଛନ୍ତି । ୨୦୨୪ରେ ସାଧାରଣ ନିର୍ବାଚନ ଥିବାବେଳେ ଏହି ଘଟଣା ଟିଏମସିର ଦୁର୍ନୀତିକୁ ପଦାରେ ପକାଇଦେଇଛି ଓ ଭାବମୁର୍ତ୍ତୀକୁ ଖରାପ କରିଦେଇଛି ।

ଶୁକ୍ରବାରଦିନ ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ଚଢଉ କରି ନଗଦ ୨୦ ଟଙ୍କା ଜବତ କରିଥିଲା । ଏସବୁ ଟଙ୍କା ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ଏହି ଅର୍ଥ ସଂଗ୍ରହ କରାଯାଇଥିବା ଜଣାଯାଇଛି ।

ପଶ୍ଚିମ ବଙ୍ଗ ସ୍କୁଲ ସର୍ଭିସ କମିଶନ ଓ ପ୍ରାଥମିକ ଶିକ୍ଷା ବୋର୍ଡ ରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଇଡି ପାର୍ଥଙ୍କ ଅଫିସ, ଘର ସମେତ ମୋଟ ୧୩ଟି ସ୍ଥାନରେ ଚଢଉ କରାଯାଇଥିଲା ।

ସମ୍ବନ୍ଧିତ ଖବର