ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସ ସରକାର ଶନିବାର ଏକ ଜାତି ଭିତ୍ତିକ ସର୍ଭେ ଆରମ୍ଭ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଏହାକୁ ରାଜ୍ୟ ପାଇଁ ଏକ ଐତିହାସିକ ତଥା ବୈପ୍ଳବିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ତେଲେଙ୍ଗାନାର ୩୩ଟି ଜିଲ୍ଲାରେ ୮୦,୦୦୦ ଜନଗଣନାକାରୀ ୧.୧୭ କୋଟିରୁ ଅଧିକ ଘର ଉପରେ ସର୍ଭେ କରିବେ। 

Advertisment

୧୯୩୧ ପରଠାରୁ ପ୍ରଥମ ଥର ପାଇଁ ଏହି ସର୍ଭେ କରାଯାଉଛି। ଏହା ତେଲେଙ୍ଗାନା ଆନ୍ଦୋଳନର ଲକ୍ଷ୍ୟ ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଆଦର୍ଶକୁ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଜୟରାମ ରମେଶ କହିଛନ୍ତି।

ସେ କହିଛନ୍ତି ଏହି ପଦକ୍ଷେପ ନିକଟରେ ହାଇଦ୍ରାବାଦରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ଜାତୀୟ ଜାତି ଜନଗଣନା ଯୋଜନାର ଆଧାର ପାଲଟିବ।

ଏହି ଜାତି ଭିତ୍ତିକ ସର୍ବେକ୍ଷଣରେ ସମାଜର ବିଭିନ୍ନ ବର୍ଗର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ, ଆୟ, ରାଜନୈତିକ ଏବଂ ଜାତିଗତ ସ୍ଥିତିକୁ ମୂଲ୍ୟାଙ୍କନ କରାଯିବ। ଯାହା କେବଳ ତେଲେଙ୍ଗାନା ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଉଦାହରଣ ହେବ ବୋଲି ଜୟରାମ କହିଛନ୍ତି।

ଏହି ସର୍ଭେର ସଂଯୋଜନା କରିବାର ଦାୟିତ୍ୱ କଂଗ୍ରେସ ନେତା ରୁଦ୍ର ସନ୍ତୋଷ କୁମାରଙ୍କୁ ଦିଆଯାଇଛି। ଏହି ସର୍ଭେକୁ ତୃଣମୂଳସ୍ତରରେ ପହଞ୍ଚାଇବା ଏବଂ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା  'ସଂଯୋଗ କେନ୍ଦ୍ର'ର ସେ ମଧ୍ୟ ମୁଖ୍ୟ ଅଛନ୍ତି।

'ସଂଯୋଗ କେନ୍ଦ୍ର'ର ମୁଖ୍ୟାଳୟ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ନିର୍ମିତ ହୋଇଛି। ଏଠାରୁ ସମସ୍ତ ଜିଲ୍ଲା ତଥା ବିଭାଗୀୟସ୍ତରରେ କଂଗ୍ରେସ କର୍ମୀଙ୍କ ସହ ସମନ୍ୱୟ ରକ୍ଷା କରାଯିବ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଲକଡାଉନ୍: ଏକ୍ୟୁଆଇ ସ୍ତର ଅଧିକ ଯୋଗୁ ସବୁ ଠପ୍

ଏହି କେନ୍ଦ୍ର ମାଧ୍ୟମରେ ପାର୍ଟି କର୍ମୀଙ୍କୁ ସର୍ଭେର ଗୁରୁତ୍ୱ ଏବଂ ଏହାର ଲାଭ ବିଷୟରେ ଅବଗତ କରାଯିବ। ଏହା ସହିତ କର୍ମୀମାନଙ୍କୁ ତାଲିମ ଦିଆଯିବ ଏବଂ ଆବଶ୍ୟକୀୟ ଉତ୍ସ ଏବଂ ସାମଗ୍ରୀ ବଣ୍ଟନ କରାଯିବ। ଯାହାଦ୍ୱାରା ସେମାନେ ଏହି ସର୍ଭେରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରିପାରିବେ। 

ସୂଚନାଯୋଗ୍ୟ, ହିନ୍ଦୁଙ୍କ ମଧ୍ୟରେ ବିଭିନ୍ନ ଜାତି ରହିଥିବାବେଳେ ଇସଲାମରେ ୭୩ଟି ବିଭିନ୍ନ ଜାତି ଅଛି। ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ କ୍ୟାଥୋଲିକ୍, ପ୍ରୋଟେଷ୍ଟାଣ୍ଟ, ଯିହୋବା ସାକ୍ଷୀ, ପେଣ୍ଟିକୋଷ୍ଟ, ଅର୍ଥଡୋକ୍ସ ଇତ୍ୟାଦି ଥିବାବେଳେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ହିନଜାନ ଏବଂ ମହାଜାନ  ଅଛନ୍ତି। 

ଅଧିକ ପଢ଼ନ୍ତୁ: ଖଲିସ୍ତାନୀଙ୍କୁ ନେଇ ସତ୍ୟ ସ୍ବୀକାର କଲେ ଟ୍ରୁଡୋ