ନୂଆଦିଲ୍ଲୀ: ବିହାର ସରକାର ଶନିବାର ଜାତି ଜନଗଣନା ଆରମ୍ଭ କରିଛନ୍ତି। ରାଜ୍ୟରେ ସମସ୍ତ ୩୮ଟି ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଜାତି ଜନଗଣନା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସମସ୍ତ ଗୃହ ଗଣନା କରାଯିବ। ପ୍ରଥମ ପର୍ଯ୍ୟାୟ ଗଣନା ଜାନୁଆରି ୨୧ରେ ଶେଷ ହେବ। ଅନ୍ୟପକ୍ଷେ ଦ୍ବିତୀୟ ପର୍ଯ୍ୟାୟ ଗଣନା ଏପ୍ରିଲ ୧ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଜାତି, ଉପଜାତି , ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ଅନୁଯାୟୀ ଏହି ଗଣନା କରାଯିବ। ତେବେ ବିହାରରେ ଜାତିଗତ ଜନଗଣନା
ଆରମ୍ଭ ହେବାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଏହି ପଦକ୍ଷେପ ସମାଜର ସବୁ ବର୍ଗର ଲୋକଙ୍କ ବିକାଶରେ ସହାୟକ ହେବ। ଜାତୀୟସ୍ତରରେ ବି ଜାତି ଜନଗଣନା ହେବା ଉଚିତ ବୋଲି ନୀତୀଶ କହିଛନ୍ତି। ଜେଡିୟୁ ସୁପ୍ରିମୋ କହିଛନ୍ତି, ବିହାରରେ ଜାତିଗତ ଜନଗଣନା ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହେବାକୁ ଯାଉଛି। ଏହାଦ୍ବାରା ସରକାର ସମାଜର ବିଭିନ୍ନ ଶ୍ରେଣୀର ବିକାଶ ପାଇଁ କାମ କରିପାରିବେ। କେଉଁ ଅଞ୍ଚଳରେ କିଭଳି ବିକାଶ ଦରକାର ତାହା ଜାଣିବାପାଇଁ ଏହି କାର୍ଯ୍ୟକ୍ରମ ସହଯୋଗ କରିବ ଏବଂ ସରକାର ସେହି ଆଧାରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ନୀତୀଶ କହିଛନ୍ତି।