ଜାତିଆଣ ନିର୍ଯାତନା ଯୋଗୁଁ ପାୟଲ ଆତ୍ମହତ୍ୟା କରିଛନ୍ତି: ମନ୍ତ୍ରୀ

ମୁମ୍ବାଇ: ମୁମ୍ବାଇର ଜଣେ ମହିଳା ଡାକ୍ତର ନିଜ ସିନିୟର୍‌ଙ୍କ ଦ୍ୱାରା ଜାତିଆଣ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବା ମହାରାଷ୍ଟ୍ର ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଗିରିଶ ମହାଜନ ସ୍ପଷ୍ଟ କରିଛନ୍ତି।
ମହାଜନ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ପାୟଲ ତଡ଼୍‌ଭି ନିଜ ସିନିୟର୍‌ଙ୍କ ଦ୍ୱାରା ଜାତିଆଣ ନିର୍ଯାତନାର ଶିକାର ହୋଇଥିଲେ। ତେବେ ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ପାୟଲଙ୍କ ପରିବାର ହସ୍‌ପିଟାଲ ଆଗରେ ପ୍ରତିବାଦ କରିବା ପରେ ମନ୍ତ୍ରୀଙ୍କ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଏହି ପ୍ରତିବାଦରେ କିଛି ଦଳିତ ଏବଂ ଆଦିବାସୀ ସଂଗଠନ ମଧ୍ୟ ଯୋଗଦେଇ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣାରେ ଜାତୀୟ ମହିଳା କମିସନ ଏବଂ ମହାରାଷ୍ଟ୍ର ମହିଳା କମିସନ ମଧ୍ୟ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ପ୍ରସୂତି ବିଭାଗର ମୁଖ୍ୟ ଏବଂ ଅନ୍ୟ ତିନି ଜଣ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ପାୟଲ ସରକାରଙ୍କ ଦ୍ୱାରା ପରିଚାଳିତ ବିୱାଇଏଲ୍‌ ନାୟର ହସ୍‌ପିଟାଲର ଛାତ୍ରୀନିବାସରେ ଗତ ଗୁରୁବାର ଆତ୍ମହତ୍ୟା କରିଥିଲେ। ସିନିୟର୍‌ମାନେ ତାଙ୍କୁ ନିର୍ଯାତନା ଦେଉଥିବା ପାୟଲ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର