ପାକିସ୍ତାନ ମିଛ ଧରାପଡ଼ିଲା: ରାଜୌରିରୁ ମିଳିଛି ଏଫ୍-୧୬ର ପ୍ରମାଣ

ନୂଆଦିଲ୍ଲୀ: ବୁଧବାର ସକାଳେ ଭାରତୀୟ ସାମରିକ ପ୍ରତିଷ୍ଠାନକୁ ନିଶାଣ କରି ପାକିସ୍ତାନର ଲଢୁଆ ବିମାନ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ମାଡ଼ି ଆସିଥିଲା ବୋଲି ଆଜି ଭାରତୀୟ ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅପରପକ୍ଷେ, ଏହା ଅମୂଳକ ଏବଂ ଏଥିପାଇଁ ଏଫ୍-୧୬ ବିମାନ ବ୍ୟବହାର କରିନଥିଲା ବୋଲି ପାକିସ୍ତାନ ଉଠାଇଥିବା ଯୁକ୍ତି ମିଛ ପ୍ରମାଣିତ ହୋଇଛି। ଏଫ୍-୧୬ର କିଛି ଧ୍ବଂସାବଶେଷ ସହିତ ଏଥିରେ ହିଁ କେବଳ ଖଞ୍ଜାଯିବା ପାଇଁ ଉଦ୍ଦିଷ୍ଟ ଆକାଶରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ଆମରାମ କ୍ଷେପଣାସ୍ତ୍ରର କିଛି ଅଂଶକୁ ଆଜି ସନ୍ଧ୍ୟାରେ ଭାରତୀୟ ତିନି ସେନାବାହିନୀର ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଛି।

ସୂଚନା ଥାଉ କି, ଆମେରିକା ନିର୍ମିତ ଏଫ୍-୧୬ ବିମାନକୁ କୌଣସି ଦେଶ ବିରୋଧରେ ଆଗୁଆ ଆକ୍ରମଣ ପାଇଁ ବ୍ୟବହାର ନକରିବା ପାଇଁ ଆମେରିକା ପକ୍ଷରୁ ଏହାର ବିକ୍ରୟ ରାଜିନାମାରେ ସ୍ପଷ୍ଟ ଉଲ୍ଲେଖ କରିଥିଲା। ମାତ୍ର ଭାରତ ଫ୍ରାନ୍ସ ନିର୍ମିତ ମିରାଜ୍-୨୦୦୦ ଉପଯୋଗରେ ବାଲାକୋଟ୍ ଆକ୍ରମଣରୁ ଶତ ପ୍ରତିଶତ ସଫଳତା ହାସଲ ଦେଖି ପାକିସ୍ତାନ ଆଉ ନିଜକୁ ସମ୍ଭାଳିପାରିନଥିଲା। ମିରାଜ୍ ଠାରୁ ଅଧିକ ଅତ୍ୟାଧୁନିକ ଜ୍ଞାନକୌଶଳ ଖଚିତ ଏଫ୍-୧୬ ବିମାନ ଦ୍ବାରା ଭାରତର ଶ୍ରୀନଗର ସ୍ଥିତ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଆଗେଇ ଆସିଥିଲା। ମାତ୍ର ଏହାକୁ ବାୟୁସେନା ଯବାନମାନେ ଖସାଇ ଦେଇଥିଲେ। ପାକିସ୍ତାନ କେବଳ ଭାରତର ଜନବସତିହୀନ ଅଞ୍ଚଳ ଏବଂ କୌଣସି ସାମରିକ ପ୍ରତିଷ୍ଠାନ ନଥିବା ଅଞ୍ଚଳ ଭଳି ସ୍ଥାନରେ ଭିନ୍ନ ବିମାନରୁ ବୋମାମାଡ଼ କରିଥିଲା ବୋଲି ପରେ ସଫେଇ ଦେଇଥିଲା। ମାତ୍ର ଭାରତର ତିନି ସେନାବାହିନୀ ପକ୍ଷରୁ ଆହୂତ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜୌରିରୁ ମିଳିଥିବା ଆମରାମ କ୍ଷେପଣାସ୍ତ୍ରର କିଛି ଅଂଶ ପ୍ରମାଣ ରୂପେ ପ୍ରଦର୍ଶନ କରାଯାଇଛି। ଏଥି ସହିତ ଏଫ୍-୧୬ ବିମାନର ଧ୍ବଂସାବଶେଷକୁ ରାଜୌରିରୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧିତ ଖବର