ସୁପର ଆର୍ଥ ଠାବ

ୱାସିଂଟନ୍‌: ପୃଥିବୀଠାରୁ ସବୁଠୁ ନିକଟରେ ଥିବା ଏକ ସୌରମଣ୍ଡଳରେ ପୃଥିବୀ ଭଳି ଏକ ଗ୍ରହ ଠାବ କରାଯାଇଛି। ଏହାକୁ ‘ସୁପର ଆର୍ଥ’ ବୋଲି କୁହାଯାଉଛି। ଏଠି ମଣିଷ ବାସ କରିପାରିବ କି ନା, ତା’ଉପରେ ଏବେ ବୈଜ୍ଞାନିକମାନେ ଗବେଷଣା ଚାଲୁ ରଖିଛନ୍ତି। ଗ୍ରହର ନିକଟବର୍ତ୍ତୀ ଥିବା ନକ୍ଷତ୍ରଗୁଡ଼ିକୁ ଯାଞ୍ଚ କରିବାରେ ଟେଲିସ୍କୋପ୍‌ ସମର୍ଥ ହେଲେ ଏହି ଗ୍ରହର ବିଭିନ୍ନ ବିଶେଷତ୍ବ ସମ୍ପର୍କରେ ଅଧିକ ସୂଚନା ହାସଲ କରାଯାଇ ପାରିବ। କିନ୍ତୁ ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଥିବା ସେମାନେ ଅନୁମାନ କରିଛନ୍ତି। ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ ଠାବ କରାଯାଇଥିବା‌ ଏହି ସୁପର ଆର୍ଥ ପୃଥିବୀ ତୁଳନାରେ ବେଶ୍‌ ବଡ଼। କିନ୍ତୁ ବରୁଣ ଗ୍ରହଠାରୁ ଏହା ସାନ ହେବ। ଏହାକୁ ବରଫ ସ୍ତର ଘେରିରହିଥିବାରୁ ଏଠା‌ରେ ଜୀବସତ୍ତା ତିଷ୍ଠିରହିବା ନେଇ ସମ୍ଭାବନା ଉଜ୍ଜୀବିତ ‌ହୋଇପାରେ। ନେଚର ପତ୍ରିକାରେ ବୁଧବାର ପ୍ରକାଶ ପାଇଥିବା ରିପୋର୍ଟର ପ୍ରସ୍ତୁତକର୍ତ୍ତା ଜ୍ୟୋତିର୍ବିଜ୍ଞାନୀ ଜୋହାନା ଟେସ୍କେ ଦର୍ଶାଇଛନ୍ତି ଯେ ଠାବ କରାଯାଇଥିବା ‘ସୁପର ଆର୍ଥ’କୁ ‘ବର୍ଣ୍ଣା‌ଡ୍‌’ ନାମକ ଏକ ନକ୍ଷତ୍ର ଆଲୋକ ପ୍ରଦାନ କରୁଛି। ଏହାକୁ ଉକ୍ତ ଗ୍ରହର ସୂର୍ଯ୍ୟ ବୋଲି କୁହାଯାଉଛି। ପଲ୍‌ ବଟ୍‌ଲର୍‌ ନାମକ ଅନ୍ୟଜଣେ ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି, ଏହି ଗ୍ରହ ସୂର୍ଯ୍ୟଠାରୁ କେବଳ ୬ ଆଲୋକବର୍ଷ ଦୂରରେ ରହିଛି। ଉଲ୍ଲେଖଯୋଗ୍ୟ, ଦୁଇ ଡଜନରୁ ଅଧିକ ସଂସ୍ଥା ଦ୍ବାରା ୫୦ରୁ ଅଧିକ ଗବେଷଣା ପରେ ଏହି ସୂଚନା ହାସଲ କରାଯାଇଛି। ଠାବ କରାଯାଇଥିବା ନୂଆ ଗ୍ରହଟି ଏହାର ସୂର୍ଯ୍ୟ ଚାରିପଟେ ଘୂରିବାକୁ ୨୩୩ ଦିନ ସମୟ ନେଉଛି।

ସମ୍ବନ୍ଧିତ ଖବର