ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଫିସରୁ ଜବତ ହୋଇଥିବା ଏକ କମ୍ପ୍ୟୁଟର ସାହାଯ୍ୟରେ ଏବଂ ତାଙ୍କ ସଚିବଙ୍କ ବିବୃତି ଆଧାରରେ ସିବିଆଇ ଅଧିକାରୀମାନେ ସିସୋଦିଆଙ୍କୁ ଗିରଫ କରିଛନ୍ତି। ଅବକାରୀ ବିଭାଗରେ ହୋଇଥିବା ଚଢ଼ଉ ସମୟରେ ସିବିଆଇ ଏକ ଡିଜିଟାଲ୍‌ ଡିଭାଇସ୍‌ ଜବତ କରିଥିଲା। ଏହି ଡିଭାଇସ୍‌କୁ ଭଲଭାବେ ଯାଞ୍ଚ କରିବା ସମୟରେ ତଦନ୍ତକାରୀ ଅଧିକାରୀ ଅନ୍ୟ ଏକ ସିଷ୍ଟମ୍‌ରେ ଅବକାରୀ ନୀତି ଚିଠା ଡକୁମେଣ୍ଟ ପାଇଥିଲେ। ତେବେ ଏହି ସିଷ୍ଟମ୍‌ଟି ଅବକାରୀ ବିଭାଗ ନେଟୱର୍କର ଅଂଶ ନଥିଲା। ‌ଏନେଇ ଅବକାରୀ ବିଭାଗ ଅଧିକାରୀଙ୍କୁ ଜେରା କରିବାପରେ ତଦନ୍ତକାରୀ ଅଧିକାରୀ ସିସୋଦିଆଙ୍କ ଅଫିସ କମ୍ପ୍ୟୁଟର ନିକଟରେ ପହଞ୍ଚିଥିଲେ। ସିବିଆଇ ଦ୍ବାରା ସିସୋଦିଆଙ୍କ ଅଫିସରୁ ଏହି କମ୍ପ୍ୟୁଟରଟିକୁ ଜାନୁଆରି ୧୪ରେ ଜବତ କରାଯାଇଥିଲା। ଏହି କମ୍ପ୍ୟୁଟରରେ ଥିବା ଅଧିକାଂଶ ଫାଇଲ୍‌ ଡିଲିଟ୍‌ କରାଯାଇଥିଲା। ସିବିଆଇ ଦ୍ବାରା ଡିଲିଟ୍‌ ହୋଇଥିବା ଫାଇଲ୍‌ ଗୁଡ଼ିକୁ ଫରେନ୍ସିକ ଟିମ୍‌ର ସହାୟତାରେ ପୁଣିଥରେ ଉଦ୍ଧାର କରାଯାଇଥିଲା। ଫରେନ୍ସିକ ଯାଞ୍ଚରୁ ଜଣାପଡ଼ିଲା ଯେ ଏହି ଫାଇଲ୍‌ଟି ହ୍ବାଟ୍ସଆପ୍‌ ଦ୍ବାରା ରିସିଭ୍‌ ହୋଇଛି।

Advertisment

ସିବିଆଇ ଏହାପରେ ୧୯୯୬ ବ୍ୟାଚ୍‌ ଡାନିକ୍ସ ପାହ୍ୟାର ଆଇଏଏସ ଅଫିସର ଯେ କି ପୂର୍ବରୁ ସିସୋଦିଆଙ୍କ ସଚିବ ଭାବେ କାର୍ଯ୍ୟ କରିଥିଲେ ତାଙ୍କୁ ସମନ୍‌ କରିଥିଲା। ତାଙ୍କୁ ଜେରା ସମୟରେ ସେ କହିଥିଲେ ଯେ, ସିସୋଦିଆ ତାଙ୍କୁ ମାର୍ଚ୍ଚ ୨୦୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଡାକିଥିଲେ। ସତ୍ୟେନ୍ଦ୍ର ‌ଜୈନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ସିସୋଦିଆ ତାଙ୍କୁ ଜିଓଏମ୍‌ (ଗ୍ରୁପ୍‌ ଅଫ ମିନିଷ୍ଟର୍ସ) ରିପୋର୍ଟର କପି ଦେଇଥିଲେ। ଏହି ଡ୍ରା‌ଫ୍ଟ ଜିଓଏମ୍‌ କପିରୁ ୧୨ ପ୍ରତିଶତ ପ୍ରଫିଟ୍‌ ମାର୍ଜିନ୍‌ କ୍ଲଜ୍‌ ଜଣାପଡ଼ିଥିଲା। ପୂର୍ବ ନୀତିରେ ହୋଲସେଲରଙ୍କ ପାଇଁ ପ୍ରଫିଟ ମାର୍ଜିନ ୫ ପ୍ରତିଶତ ଥିଲା। କିନ୍ତୁ ଏହା ୧୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ପ୍ରଫିଟ୍‌ ମାର୍ଜିନ ୧୨ ପ୍ରତିଶତକୁ କିଭଳି ବୃଦ୍ଧି ହେଲା ସେନେଇ କୌଣସି ରେକର୍ଡ ନାହିଁ କି କୌଣସି ଆଲୋଚନା ମଧ୍ୟ ହୋଇନି। ସିସୋଦିଆଙ୍କୁ ଜେରା ସମୟରେ ଏହି ଡ୍ରାଫ୍ଟ ଡକୁମେଣ୍ଟ ସଂକ୍ରାନ୍ତରେ ପଚରା ଯାଇଥିଲା। କିନ୍ତୁ ସେ ଉକ୍ତ ବିଷୟରେ କୌଣସି ସୂଚନା‌ ଦେଇନଥିବା ଜଣାପଡ଼ିଛି।