ଏପଟେ ଟ୍ବିଟ୍‌ରକୁ ନେଇ ଚିନ୍ତାରେ ମସ୍କ; ସେପଟେ ଟେସ୍‌ଲା କାର୍‌ ବ୍ରେକ୍‌ ଫେଲ୍‌ ହୋଇ ରାସ୍ତାରେ ନେଲା ଜୀବନ

ବେଜିଂ: ଗତ ୫ ତାରିଖରେ ଟେସ୍‌ଲାର ଏକ କାର୍‌ ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣା ଘଟିବା ପରେ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଏହାକୁ ନେଇ ଆମେରିକାର ଅଟୋମେକର୍‌ ଟେସ୍‌ଲା ପକ୍ଷରୁ ରବିବାର କୁହାଯାଇଛି ଯେ ଘଟିଥିବା ଦୁର୍ଘଟଣାକୁ ଟେସ୍‌ଲାର ୱାଇ କାର୍‌ ମଡେଲ୍‌କୁ ନେଇ ଚାଇନା ପୁଲିସ୍‌ ତଦନ୍ତ କରିବ।

ଏପଟେ ନୂଆ କରି ଟ୍ବିଟର୍‌ ମାଲିକ ବନିଥିବା ଏଲନ ମସ୍କ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌କୁ ଭଲ କରି ଚଳାଇ ପାରୁନଥିବା ବ୍ୟବହାରକାରୀମାନେ ଅଭିଯୋଗ ଆଣିବା ବେଳେ ସେପଟେ ତାଙ୍କ କାର୍‌ ଟେସ୍‌ଲାର ନିର୍ମାଣକୁ ବି ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଗଲାଣି।

ଜିମି ନ୍ୟୁଜ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଘଟଣାଟି ଗୁୟାଙ୍ଗଡୋଙ୍ଗ୍‌ର ଦକ୍ଷିଣ ପ୍ରଦେଶର। କାର୍‌ ଚାଳକ ଜଣକ ନିୟନ୍ତ୍ରଣ ହରାଇ ବ୍ରେକ୍‌ ମାରି ନପାରିବାରୁ ଜଣେ ସ୍କୁଲ୍‌ ଝିଅ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି।

ସେ ସମୟର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି। କାର୍‌ଟି କିପରି ଦୃତ ଗତିରେ ମାଡ଼ି ମାଡ଼ି ଚାଲିଛି ତାହା ଭିଡିଓରେ ଦୃଶ୍ୟମାନ ହୋଇଛି। ସେ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ସ୍ପଷ୍ଟ ହୋଇଛି ଯେ ଚାଳକ ଜଣକ ବ୍ରେକ୍‌ ମାରିବାକୁ ଚେଷ୍ଟା କରିବା ବେଳେ କାର୍‌ଟି ଅଧିକ ଜୋର୍‌ରେ ଗଡ଼ିବା ଆରମ୍ଭ କରିଥିଲା । ଚୀନ୍‌ ଟେସ୍‌ଲାର ଦ୍ବିତୀୟ ବୃହତ୍‌ ବଜାର ହୋଇଥିବାରୁ ଏହି ଦୁର୍ଘଟଣା ‌ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଲୋକଙ୍କ ସୁରକ୍ଷା ଦୃଷ୍ଟରୁ ଟେସ୍‌ଲାକୁ ନେଇ ଭୟ ଉପୁଜିଛି।

ଏପଟେ ଆମେରିକାର ଇଲେକ୍ଟ୍ରିକ୍ ଯାନ କଂପାନି ଟେସ୍‌ଲାର କୌଣସି ଦାବିକୁ ଭାରତ ମାନୁ ନଥିବାରୁ ଏହା ଭାରତ ଛାଡ଼ି ଇଣ୍ଡୋନେସିଆ ଚାଲିଯିବା ବିଷୟରେ ବିଚାର କରୁଛି। ଇଣ୍ଡୋନେସିଆରେ ପ୍ରଚୁର ପରିମାଣର ନିକେଲ୍ ରହିଛି ଯାହା କଂପାନିକୁ ବେଶ ସୁହାଇବ। ଟେସ୍‌ଲା ପାଇଁ ଭାରତ ସରକାରଙ୍କ ସହ ମୁଲଚାଲ କରୁଥିବା ପ୍ରମୁଖ ଅଧିକାରୀ ଇସ୍ତଫା ଦେବା ପରେ ଭାରତରେ ଇଲେକ୍ଟ୍ରିକ୍ କାର୍ ବିକ୍ରି କରିବା‌ ଯୋଜନାକୁ କଂପାନି ସ୍ଥଗିତ ରଖିଛି।

ସମ୍ବନ୍ଧିତ ଖବର