ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡ ନିକଟରେ ଥିବା ଏକ ଦେବୀ ମନ୍ଦିର ପରିସରରେ ଖନନ କାର୍ଯ୍ୟ ଚାଲି ଥିଲା। ଏହି ଖନନ ସମୟରେ ହଠାତ ସେଠାରେ ଏକ ରହସ୍ୟମୟ ଗୁମ୍ଫା ଦେଖିବାକୁ ମିଳିଥିଲା। ଗୁମ୍ଫା ଭିତରେ ଥିବା କିଛି ଦୃଶ୍ୟକୁ ସ୍ଥାନୀୟଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏଭଳି ଘଟଣା ପିଥୋରାଗଡର କନାଲିଛିନା ବିକାଶଖଣ୍ଡର ଖାନପର୍ ଗ୍ରାମରେ ଦେଖିବାକୁ ମିଳିଛି। ଏଠାରେ ଅବସ୍ଥିତ ଏକ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କାରଣରୁ ମନ୍ଦିର ପରିସରରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଖନନ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନେ ହାଠତ ଏକ ରହସ୍ୟମୟ ଗୁମ୍ଫାକୁ ଦେଖିବାକୁ ପାଇଥିଲେ। ମନ୍ଦିର ପରିସରରେ ଗୁମ୍ଫା ଦେଖାଯିବା ଖବର ପ୍ରଘଟ ହେବାପରେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ ଜମି ଯାଇଥିଲା। ଏହି କାରଣରୁ ମନ୍ଦିରର ଖନନ କାର୍ଯ୍ୟ ବନ୍ଦ ରହିଛି।
ଗତ ସୋମବାର ମନ୍ଦିର ପ୍ରାଙ୍ଗଣରେ ଜେସିବି ପଥର କାଟୁଥିବା ସମୟରେ ପାହାଡ ଭିତରକୁ ଏକ ପ୍ରବେଶ ଦ୍ୱାର ଖୋଲି ଯାଇଥିଲା। ଏହି ଗୁମ୍ଫାର ଲମ୍ବ ୧୫ ମିଟର ଏବଂ ପ୍ରସ୍ଥ ୧୦ ମିଟର ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟେକ୍ଷଦର୍ଶୀ ଏହି ଗୁମ୍ଫାକୁ ଦେଖି ବହୁତ ପ୍ରାଚୀନ ବୋଲି କହୁଛନ୍ତି।
ଏହି ରହସ୍ୟମୟ ଗୁମ୍ଫା ଭିତରେ ଏକ ଧଳା ପଥର ଏବଂ ଶିବଲିଙ୍ଗର ଅନ୍ୟାନ୍ୟ କଳାକୃତି ଦୃଶ୍ୟମାନ ହେବା ସହିତ ଜଳର ଏକ ସ୍ରୋତ ମଧ୍ୟ ପ୍ରବାହିତ ହେଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଏକ ପ୍ରାକୃତିକ ଗୁମ୍ଫା । ଗୁମ୍ଫାକୁ ଖୁବ ଶୀଘ୍ର ସର୍ଭେକ୍ଷଣ କରାଯିବ।