ନୂଆଦିଲ୍ଲୀ : ଆସନ୍ତା ୨୫ ତାରିଖରେ ସାରା ଭାରତରେ ମୁକ୍ତିଲାଭ କରିବାକୁ ଥିବା ସଞ୍ଜୟ ଲୀଳା ବଂଶାଲିଙ୍କ ବିବାଦୀୟ ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମାବତ୍’ର ପ୍ରଦର୍ଶନକୁ ବିରୋଧ କରି ଆସୁଥିବା ସଂଗଠନଗୁଡ଼ିକ ପାଇଁ ମାନ୍ୟବର ସୁପ୍ରିମ୍କୋର୍ଟ ଲଗାତାର ଝଟ୍କା ଦେଇ ଚାଲିଛନ୍ତି। ‘ପଦ୍ମାବତ୍’ର ପ୍ରଦର୍ଶନ ବନ୍ଦ କରିବା ପାଇଁ କିଛି ରାଜ୍ୟ କରିଥିବା ଘୋଷଣା ବେଆଇନ ବୋଲି ମାନ୍ୟବର ସର୍ବୋଚ୍ଚ ଅଦାଲତ ଗତକାଲି ରାୟ ଶୁଣାଇଥିବା ବେଳେ ଫିଲ୍ମଟିକୁ ସିବିଏଫ୍ସି ଦେଇଥିବା ପ୍ରଦର୍ଶନ ପ୍ରମାଣପତ୍ର ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ଆଜି ଖାରଜ କରିଦେଇଛନ୍ତି। ଜରୁରୀକାଳୀନ ଶୁଣାଣି ପାଇଁ ଆବେଦନକାରୀ କରିଥିବା ସେହି ଜନସ୍ୱାର୍ଥ ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଜଷ୍ଟିସ୍ ଏ ଏମ୍ ଖାନ୍ ଏବଂ ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମନା କରିଦେଇଛନ୍ତି।
ଉଲ୍ଲେଖ ଥାଉ କି, ବିଶେଷ କରି ରାଜପୁତ୍ ସମ୍ପ୍ରଦାୟଙ୍କ ଭାବାବେଗକୁ ଆଘାତ ଦେଉଥିବା ଉକ୍ତ ଫିଲ୍ମଟି ସିନେମା ହଲ୍ରେ ଚାଲିବା ମାତ୍ରେ ତାହାକୁ ବିରୋଧ କରି ହିଂସକାଣ୍ଡର ଆଶଙ୍କା ରହିଛି ବୋଲି ଆଇନଜୀବୀ ଏମ୍ଏଲ୍ ଶର୍ମା ଏହି ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏପରିକି ପରିଣତି ସ୍ୱରୂପ ବହୁମାତ୍ରାରେ ଧନଜୀବନ କ୍ଷତିହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ତେଣୁ ମାମଲାର ଜରୁରୀକାଳୀନ ଶୁଣାଣି କରି ଫିଲ୍ମକୁ ମିଳିଥିବା ପ୍ରଦର୍ଶନ ପ୍ରମାଣପତ୍ର ରଦ୍ଦ କରିବା ପାଇଁ ଆଇନଜୀବୀ ଶର୍ମା ନିବେଦନ କରିଥିଲେ। ତେବେ ମାନ୍ୟବର ଖଣ୍ଡପୀଠ ଏହାର ଶୁଣାଣି କରି ଆଇନ ଶୃଙ୍ଖଳା ବଜାୟ ରଖିବା ଅଦାଲତର କାର୍ଯ୍ୟ ନୁହେଁ ବୋଲି ଟିପ୍ପଣୀ କରିବା ସହ ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି।
ପ୍ରସୁନଙ୍କୁ ରାଜସ୍ଥାନରେ ପୁରାଇ ଦବୁନୁ: ରାଜପୁତ କର୍ଣ୍ଣି ସେନା
ନୂଆଦିଲ୍ଲୀ: ‘ପଦ୍ମାବତ୍’ ବିରୋଧରେ କୌଣସି ଆବେଦନ ଶୁଣାଣି କରିବେନି ବୋଲି ଆଜି ସୁପ୍ରିମକୋର୍ଟ କହିବାପରେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି ରାଜପୁତ୍ କର୍ଣ୍ଣି ସେନା। ସିବିଏଫ୍ସି ମୁଖ୍ୟ ପ୍ରସୁନ ଯୋଶୀଙ୍କୁ ରାଜସ୍ଥାନରେ ପ୍ରବେଶ କରାଇ ଦେବୁନି ବୋଲି ରାଜପୁତ କର୍ଣ୍ଣି ସେନା ଧମକ ଦେଇଛି। ଗତକାଲି ସୁପ୍ରିମକୋର୍ଟ ‘ପଦ୍ମାବତ୍’କୁ କ୍ଲିନ୍ ଚିଟ୍ ଦେବାପରେ ବିଦ୍ରୋହର ପ୍ରଥମ ଝଲକ୍ ଦେଖିବାକୁ ମିଳିଥିଲା ବିହାରରେ। ବିହାରର ମୁଜାଫରପୁରରେ ଏକ ସିନେମା ହଲ୍ରେ ଭଙ୍ଗାରୁଜା କରିଥିଲେ ରାଜପୁତ୍ କର୍ଣ୍ଣି ସେନା। ତେବେ ରାଜପୁତ କର୍ଣ୍ଣି ସେନା ସଦସ୍ୟ ସୁଖଦେବ ସିଂହ ପ୍ରସୁନ୍ଙ୍କୁ ରାଜସ୍ଥାନରେ ପ୍ରବେଶ କରାଇ ଦେବୁନୁ ବୋଲି ଆଜି ସଦ୍ୟ ଧମକ ଦେଇଛନ୍ତି। ସେହିପରି ରାଜପୁତ କର୍ଣ୍ଣି ସେନାର ଧମକକୁ ଭୟ କରି ଗୁଜରାଟ୍ର ସମସ୍ତ ମଲ୍ଟିପ୍ଲେକ୍ସ୍ ତଥା ବହୁ ମହଲା ବିଶିଷ୍ଟ କୋଠାର ମାଲିକମାନେ ସମ୍ପୃକ୍ତ କୋଠାରେ ଥିବା ସିନେମା ହଲ୍ରେ ଫିଲ୍ମ ଚାଲିବନି ବୋଲି ନିଷ୍ପତ୍ତି ନେଇଛନ୍ତି। ଅହମଦାବାଦ୍ରେ ୨୫ଟି ମଲ୍ଟିପ୍ଲେକ୍ସ ଥିବାବେଳେ ସମଗ୍ର ଗୁଜରାଟରେ ୧୨୫ଟି ମଲ୍ଟିପ୍ଲେକ୍ସ ରହିଛି। ତେବେ ସମସ୍ତ ମଲ୍ଟିପ୍ଲେକ୍ସ ମାଲିକମାନେ ହିଂସାକାଣ୍ଡକୁ ଭୟ କରି ଫିଲ୍ମ ଚାଲିବନି ବୋଲି ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Padmavati-protest.jpg)