ସ୍ମାର୍ଟଫୋନକୁ ଆକ୍ରାନ୍ତ କରୁଥିବା ଟ୍ରୋଜାନ ଭାଇରସକୁ ନେଇ ଆତଙ୍କ, କରୋନା ସଂପର୍କିତ ମେସେଜ ଦେଇ ବ୍ୟାଙ୍କ ତଥ୍ୟ ଲୁଟିନେଉଛି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ କେତେକ ଗୋଷ୍ଠୀ ତାହାର ଫାଇଦା ନେବା ପାଇଁ ମଧ୍ୟ ଷଡ଼ଯନ୍ତ୍ର କରିଚାଲିଛନ୍ତି । ଏପରି ବିପଦ ଘଡ଼ିରେ ଲୋକଙ୍କୁ ସର୍ବସ୍ୱାନ୍ତ କରିବାକୁ ମଧ୍ୟ କେତେକ ଗୋଷ୍ଠୀ ପଛାଉନାହାନ୍ତି । ସର୍ବେରସ ନାମକ ଏକ ଟ୍ରୋଜାନ ଭାଇରସ ସମଗ୍ର ବିଶ୍ୱର ସ୍ମାର୍ଟଫୋନଗୁଡ଼ିକୁ ସଂକ୍ରମିତ କରିବା ଆରମ୍ଭ କରିଛି । ସ୍ମାର୍ଟଫୋନଗୁଡ଼ିକୁ ଆକ୍ରାନ୍ତ କରି ଲୋକମାନଙ୍କ ବ୍ୟାଙ୍କିଙ୍ଗ ଓ କ୍ରେଡିଟକାର୍ଡ ତଥ୍ୟ ଚୋରାଇ ଲୋକମାନଙ୍କ ଅର୍ଥ ଲୁଟିନେଉଛି ।

ଏହି ସଂଦିଗ୍ଧ ସଫ୍ଟଓ୍ୱାର ସଂପର୍କରେ ଇଣ୍ଟରପୋଲର ସୂଚନା ମିଳିବା ପରେ ସିବିଆଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀମାନଙ୍କୁ ସତର୍କ କରାଇଦେଇଛି ।

ଏହି ବ୍ୟାଙ୍କିଙ୍ଗ ଟ୍ରୋଜାନ ସଫ୍ଟଓ୍ୱାର ଲୋକମାନଙ୍କ ସ୍ମାର୍ଟଫୋନଗୁଡ଼ିକୁ କରୋନା ସଂପର୍କିତ ତଥ୍ୟ ଥିବା କେତେକ ମେସେଜ ପଠାଇଥାଏ । ସେଥିରେ ଗୋପନ ଲିଙ୍କ ଥାଏ । ଲୋକମାନେ ଗୋପନ ଲିଙ୍କ ଖୋଲିବା ପରେ ତାହା ସ୍ମାର୍ଟଫୋନକୁ କବଳିତ କରିବା ସହ ସେଥିରେ ଥିବା ବ୍ୟାଙ୍କ ତଥ୍ୟ, କ୍ରେଡିଟ କାର୍ଡ ତଥ୍ୟ ଚୋରାଇ ଲୋକଙ୍କ ଆକାଉଣ୍ଟରୁ ଅର୍ଥ ଖାଲି କରିଦିଏ । ଏପରିକି ଏକ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରାଇ ବ୍ଲାକମେଲ କରିବା ସହ ପିନ ନମ୍ବର ଓ ପାସଓ୍ୱାର୍ଡ ମଧ୍ୟ ନେଇଯାଉଥିବା ଜଣାପଡ଼ିଛି । ଏହା ଜଣାପଡ଼ିବା ପରେ ସୁରକ୍ଷା ବାହିନୀ ସତର୍କ ହୋଇଉଠିଛି ।

ସମ୍ବନ୍ଧିତ ଖବର