ନୂଆଦିଲ୍ଲୀ: ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଲଗାତାର ଆକ୍ସନ ମୋଡରେ କାମ କରୁଛି। ସିବିଆଇ ଆଜି ଏହି ମାମଲାରେ ପ୍ରଶ୍ନପତ୍ର ଲିକ୍ ଗ୍ୟାଙ୍ଗର କିଙ୍ଗପିନ୍ ଶଶିକାନ୍ତ ପାଶୱାନଙ୍କ ସମେତ ଆଉ ୩ ଜଣଙ୍କୁ ଗିରଫ କରିଛି। ଏଥିସହିତ ଏହି ଗ୍ୟାଙ୍ଗସହ ଜଡ଼ିତ ଦୁଇ ଜଣ ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ଶଶିକାନ୍ତ ନାମକ ଏହି କିଙ୍ଗପିନ୍ ପୂର୍ବରୁ ଗିରଫ ହୋଇଥିବା ପଙ୍କଜ ଓ ରାଜୁଙ୍କ ସହଯୋଗୀ। ଗିରଫ ଛାତ୍ରମାନେ ଭରତପୁର ମେଡିକାଲ କଲେଜର ଛାତ୍ର। ଏହି ପ୍ରଶ୍ନପତ୍ରର ଉତ୍ତର ଲେଖନ ପାଇଁ ମେ ୫ ତାରିଖ ସକାଳେ ଏହି ସମସ୍ତ ଲୋକ ହଜାରୀବାଗରେ ଉପସ୍ଥିତ ଥିଲେ। ଗିରଫ ଛାତ୍ରଙ୍କ ମଧ୍ୟରୁ ଜଣେ ପ୍ରଥମ ବର୍ଷର ଛାତ୍ର ଏବଂ ଅନ୍ୟ ଜଣେ ଦ୍ୱିତୀୟ ବର୍ଷର ଛାତ୍ର। ସେମାନେ ହେଲେ କୁମାର ମଙ୍ଗଲମ୍ ଓ ଦୀପେନ୍ଦ୍ର ଶର୍ମା।

ଏହା ପୂର୍ବରୁ ସିବିଆଇ ଗତ ଜୁଲାଇ ୧୯ ତାରିଖରେ ଝାଡ଼ଖଣ୍ଡର ରାଞ୍ଚିରୁ ଜଣେ ଏମ୍ ବିବିଏସ୍ ପ୍ରଥମ ବର୍ଷର ଛାତ୍ରଙ୍କୁ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ କରିଥିଲା। ୨୦୨୩ ବ୍ୟାଚର ଛାତ୍ରୀ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ)ର ସୁରଭି କୁମାରୀ ଓ ସେ ରାମଗଡ଼ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ପ୍ରଶ୍ନପତ୍ର ସମାଧାନ ପାଇଁ ମେ ୫ ତାରିଖରେ ଛାତ୍ରୀ ଜଣକ ହଜାରୀବାଗରେ ଉପସ୍ଥିତ ଥିବା ମଧ୍ୟ ଅଭିଯୋଗ ହୋଇଛି।