ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ଦିନ ୨୨,୮୪୨ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଏବିଜି ସିପିୟାର୍ଡ ଲିମିଟେଡର ପ୍ରତିଷ୍ଠାତା-ଅଧ୍ୟକ୍ଷ ଋଷି ଅଗ୍ରୱାଲଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ପାଇଁ ଆଇପିସି ଓ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଲଗାଯାଇଛି ।

Advertisment

ଏହି କମ୍ପାନି ବିଭିନ୍ନ ଜାଲ କାରବାର ମାଧ୍ୟମରେ ୨୦୧୨ ରୁ ୨୦୧୭ ମଧ୍ୟରେ ଷ୍ଟେଟବ୍ୟାଙ୍କ ନେତୃତ୍ବରେ ଥିବା ଏକ ବ୍ୟାଙ୍କ କନସୋର୍ଟିଅମକୁ ୨୨,୮୪୨ କୋଟି ଟଙ୍କା ଠକିଥିଲା । ଏହି ମାମଲାରେ ସିବିଆଇ ଚଳିତ ବର୍ଷ ଫେବ୍ରୁଆରି ମାସରେ ଏବିଜି କମ୍ପାନି ଓ ସିଏମଡି ଋଷି ଅଗ୍ରଓ୍ବାଲଙ୍କ ନାଁରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ସହିତ କମ୍ପାନିର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ ମୁଥୁରମଣଙ୍କ ଓ ଆଉ କେତେକ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଥିଲା ।

ସିବିଆଇର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ଥିବା ଏକ ୨୮ଟି ବ୍ୟାଙ୍କ ବିଶିଷ୍ଟ କନସୋର୍ଟିଅମ ଠାରୁ ପ୍ରାୟ ୨୨,୮୪୨ କୋଟିର ଋଣ ଅଣାଯାଇଥିଲା । ମାତ୍ର ଯେଉଁ ଉଦ୍ଦେଶ୍ୟରେ ଏହି ଋଣ ଅଣାଯାଇଥିଲା, ସେହି କାମରେ ଏହି ଅର୍ଥକୁ ବିନିଯୋଗ ନକରି ଅନ୍ୟ କାମରେ ବିନିଯୋଗ କରାଯାଇଥିଲା । ୨୦୧୬ରେ ଏହି ଋଣକୁ ଅନାଦେୟ ଋଣ ଘୋଷଣା କରାଯାଇଥିଲା ଓ ୨୦୧୯ରେ ଏହା ଏକ ବଡ଼ ଠକେଇ ବୋଲି ଜଣାପଡ଼ିଥିଲା ।