ନୂଆଦିଲ୍ଲୀ: ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରୁ ଗିରଫ କରିଛି ସିବିଆଇ। ବୁଧବାର ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି ହେବାର ଥିବା ବେଳେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଏହି ଘଟଣାର ଠିକ ପୂର୍ବରୁ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ କେନ୍ଦ୍ର ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଥିଲେ। ସିବିଆଇର ଏକ ଜାଲ ମାମଲା ପ୍ରସ୍ତୁତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିପାରେ  ବୋଲି ସେ ଆଶଙ୍କା କରିଥିଲେ। ବୁଧବାର (ଜୁନ୍ ୨୬) ସୁପ୍ରିମକୋର୍ଟରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି ଥିବା ବେଳେ ଓ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିବାର ସମ୍ଭାବନା ଥିବାବେଳେ ସରକାର ପ୍ରତିହିଂସାପରାୟଣ ହୋଇ ସିବିଆଇକୁ ଲଗାଇ କେଜ୍ରିଓ୍ବାଲଙ୍କୁ ଗିରଫ କରିଛନ୍ତି ବୋଲି ସେ କହିଛନ୍ତି ।

ମଙ୍ଗଳବାର ରାତିରେ ଗିରଫ କରିବା ପୂର୍ବରୁ ସିବିଆଇ ଅବକାରୀ ନୀତି ମାମଲାରେ ତିହାର ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା। ବୁଧବାର ଅର୍ଥାତ ଜୁନ୍ ୨୬ରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ବିଜେପିର ଅତ୍ୟାଚାରକୁ ସମଗ୍ର ଦେଶ ଦେଖୁଛି। କେନ୍ଦ୍ର ସରକାରଙ୍କ ଅପରାଧ ଉପରେ ସାରା ଦେଶ ନଜର ରଖିଛି, ସେମାନଙ୍କ ଅତ୍ୟାଚାର ଓ ଅନ୍ୟାୟକୁ ସାରା ଦେଶ ଦେଖୁଛି । ଏହି ମିଥ୍ୟା ମାମଲା ବିରୋଧରେ ସାରା ଦେଶ କେଜ୍ରିୱାଲଙ୍କ ପଛରେ ଛିଡ଼ା ହେବ ବୋଲି ସେ କହିଛନ୍ତି ।