୮୦୦ କୋଟି ଟଙ୍କା ଋଣ ଖିଲାପକାରୀ ‘ରୋଟମାକ୍’ କମ୍ପାନିର ମାଲିକ ବିକ୍ରମ କୋଠାରିଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ୮୦୦ କୋଟି ଟଙ୍କାର ଋଣ ଖିଲାପ ଅଭିଯୋଗରେ ସୋମବାର ଦିନ ସିବିଆଇ ରୋଟୋମାକ୍ ପେନ୍ସ୍ର ଚେୟାର୍ମ୍ୟାନ୍ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର୍ ବିକ୍ରମ କୋଠାରିଙ୍କୁ ଗିରଫ କରିଛି।
ବ୍ୟାଙ୍କ୍ ଅଫ୍ ବରୋଦା ଅଭିଯୋଗ ଦାଏର୍ କରିବା ପରେ ସିବିଆଇ କୋଠାରିଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରେଜିଷ୍ଟର୍ କରିଥିଲା। ୫ଟି ରାଜ୍ୟର ମାଲିକାନାରେ ଥିବା ବ୍ୟାଙ୍କ୍ଗୁଡ଼ିକରୁ ୮୦୦ କୋଟି ଟଙ୍କା ଠକିବା ଅଭିଯୋଗରେ ତାଙ୍କୁ ବୁକ୍ କରାଯାଇଛି।
କାନପୁର ନିବାସୀ କମ୍ପାନିର ମାଲିକ ଆହ୍ଲାବାଦ ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, ଇଣ୍ଡିଆନ୍ ଓଭର୍ସିଜ୍ ବ୍ୟାଙ୍କ୍ ଏବଂ ୟୁନିୟନ୍ ବ୍ୟାଙ୍କ୍ରୁ ୮୦୦ କୋଟି ଟଙ୍କା ଋଣ ନେଇଥିଲେ। ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ଆହ୍ଲାବାଦ ବ୍ୟାଙ୍କ୍ ସୂତ୍ରରୁ ପ୍ରକାଶ ଯେ କୋଠାରି ସୁଧ ଦେଇ ନାହାନ୍ତି କିଂବା ଋଣ ରାଶି ଫେରାଇ ନାହାନ୍ତି।
ଗୋପନରେ ବ୍ୟାଙ୍କ୍ରୁ ସଂଗୃହୀତ ତଥ୍ୟ ଅନୁସାରେ କୋଠାରିଙ୍କୁ ଋଣ ଦେବା ପାଇଁ ନିୟମ ସହ ସାଲିସ କରାଯାଇଥିଲା। ସେ ମୁମ୍ବାଇସ୍ଥିତ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୪୮୫ କୋଟି ଟଙ୍କା ଏବଂ କୋଲକାତାର ଆହ୍ଲାବାଦ ବ୍ୟାଙ୍କ୍ରୁ ୩୫୨ କୋଟି ଟଙ୍କା ଋଣ ନେଇଥିଲେ।
ଗିରଫଦାରି ଏଡ଼ାଇବାକୁ ସେ ଦେଶ ଛାଡ଼ି ଚାଲି ଯାଇଛନ୍ତି ବୋଲି ପ୍ରକାଶିତ ଖବରରେ ପ୍ରତିକ୍ରିୟା ପ୍ରକାଶ କରି ରବିବାର ଦିନ ସେ କହିଥିଲେ କି, ସେ କାନପୁରରେ ହିଁ ଅଛନ୍ତି।