ନୂଆଦିଲ୍ଲୀ: ଅନ୍ଲାଇନ୍ ଶିଶୁ ଯୌନ ଶୋଷଣକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଛି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଭିତରେ ଅଛନ୍ତି: ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ ହରିୟାଣା। ତେବେ ଚଢ଼ାଉ ପରେ ଆଜି ସିବିଆଇ ଦିଲ୍ଲୀ, ନୋଏଡା, ଢ଼େଙ୍କାନାଳ, ଝାନ୍ସି ଏବଂ ତିରୁପତିରୁ ୭ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି।
ଅନୁସନ୍ଧାନ ସମୟରେ ଏହା ଜଣାପଡିଥିଲା ଯେ ଅଭିଯୁକ୍ତମାନେ କେତେକ ୱେବସାଇଟରେ ସିଏସଇଏମ ଭିଡିଓଗୁଡିକର ଲିଙ୍କ୍ ସେୟାର କରୁଥିଲେ। ପ୍ରାୟ ୫୦ଟି ଗ୍ରୁପର ୫୦୦୦ସଦସ୍ୟ ଶିଶୁ ଯୌନ ଶୋଷଣର ଭିଡିଓ ସେୟାର କରୁଥିବା ବେଳେ ଏହି ଗ୍ୟାଙ୍ଗରେ ବିଦେଶୀ ନାଗରିକଙ୍କ ସଂପ୍ୟକ୍ତି ଥିବା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ନଭେମ୍ବର ୧୪ରେ ସିବିଆଇ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ଓ ଶୋଷଣକୁ ନେଇ ୮୩ ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଥିଲା, ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି।
୨୦୧୯ରେ ସିବିଆଇ ଏହାର ସ୍ୱତନ୍ତ୍ର ଅପରାଧ ଜୋନର ଏକ ଅଂଶ ଭାବରେ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ (ଓସିଏସଏଇ) ପ୍ରତିରୋଧ / ଅନୁସନ୍ଧାନ ୟୁନିଟ୍ ପ୍ରତିଷ୍ଠା କରିଥିଲା। ଏହି ୟୁନିଟ୍ ସହାୟତାରେ, ସିବିଆଇ ୨୦୨୦ରେ ଉତ୍ତରପ୍ରଦେଶର ଜଣେ ସରକାରୀ ଇଞ୍ଜିନିୟରଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଜଣକ ଦଶନ୍ଧି ଧରି ପ୍ରାୟ ୫୦ଜଣ ନାବାଳିକାଙ୍କ ସହ ଯୌନ ଶୋଷଣ କରିବା ସହ ଅଶ୍ଲୀଳ ଭିଡିଓ ଅନ୍ୟକୁ ବିକ୍ରି କରୁଥିଲେ। ଏ ବିଷୟରେ ଜାଣିବା ପରେ ଓସିଏସଏଇ ପ୍ରତିରୋଧ ୟୁନିଟ୍ ଅଭିଯୁକ୍ତକୁ କାବୁ କରିଥିଲା।