ପିଏନବିରେ ୧୧୦ କୋଟିର ଋଣ ଠକେଇ : ମାରୁତିର ପୂର୍ବତନ ଏମଡି ଜଗଦୀଶ ଖଟ୍ଟରଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ସିବିଆଇ

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ କାର କମ୍ପାନି ମାରୁତି ସୁଜୁକୀର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜଗଦୀଶ ଖଟ୍ଟରଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ଋଣ ଠକେଇ ମାମଲା ରୁଜ୍ଜୁ କରିଛି । ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୧୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗରେ ଏହି ମାମଲା ଦାଏର କରାଯାଇଛି ।

ମାରୁତି-ସୁଜୁକୀ ଇଣ୍ଡିଆ ପୂର୍ବରୁ ଭାରତ ସରକାରଙ୍କ ଅଧିନସ୍ଥ ଏକ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଥିଲା । ଜଣେ ବରିଷ୍ଠ ଆଇଏଏସ ଅଧିକାରୀଭାବେ ଖଟ୍ଟରଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା । ୨୦୦୭ରେ ସେ ଅବସର ଗ୍ରହଣ କରିବାର ଦୁଇବର୍ଷ ପରେ ଅର୍ଥାତ ୨୦୦୯ରେ ସେ କାରନେସନ ଅଟୋ ନାମକ ଏକ କମ୍ପାନି ସ୍ଥାପନ କଲେ । ଏଥିପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଅନ୍ୟ କେତେକ ବ୍ୟାଙ୍କରୁ ପ୍ରାୟ ୧୭୦ କୋଟି ଟଙ୍କାର ଋଣ ଅଣାଯାଇଥିଲା । କିନ୍ତୁ ୨୦୧୫ରେ ଏହି ଋଣକୁ ଅନାଦେୟ ଋଣ ବା ଏନପିଏ ଘୋଷଣା କରାଯାଇଥିଲା। ଏହି ମାମଲାରେ ସିବିଆଇ ଖଟ୍ଟର ଓ ଅନ୍ୟକେତେକ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଠକେଇ ମାମଲା ରୁଜ୍ଜୁ କରିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଭିଯୋଗ କ୍ରମେ ଏହି ମାମଲା ରୁଜ୍ଜୁ କରିଛି ସିବିଆଇ ।

ସୋମବାରଦିନ ସିବିଆଇ ପକ୍ଷରୁ ଖଟ୍ଟରଙ୍କ ବାସଭବନ ଓ କାରନେସନ ଅଟୋର ଅଫିସରେ ଚଢଉ କରି କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ସିବିଆଇ ଜାଣିବାକୁ ପାଇଛି ଖଟ୍ଟର ବ୍ୟାଙ୍କ ନିକଟରେ ବନ୍ଧକ ଥିବା କମ୍ପାନିର ମୂଲ୍ୟବାନ ସଂପତ୍ତିକୁ ବ୍ୟାଙ୍କର ଅନୁମତି ବିନା ବିକ୍ରି କରିଦେଇଛନ୍ତି ।

ସମ୍ବନ୍ଧିତ ଖବର