ଆଉ ଏକ ବୃହତ ବ୍ୟାଙ୍କ ଠକେଇ, ୭୯୨୬ କୋଟି ଠକି ନେଇଛି ହାଇଦ୍ରାବାଦ କମ୍ପାନି

ହାଇଦ୍ରାବାଦ : ନୀରବ ମୋଦୀ ବ୍ୟାଙ୍କ ଠକେଇ ମାମଲାର ପ୍ରାୟ ଅଢେଇ ବର୍ଷ ପରେ ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି । ହାଇଦ୍ରାବାଦର ଏକ ଘରୋଇ କମ୍ପାନି ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ବ୍ୟାଙ୍କ ଠକେଇଟି ନୀରବ ମୋଦୀ ସ୍କାମଠାରୁ ଆହୁରି ବଡ଼ ବୋଲି କୁହାଯାଉଛି ।

ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେ ସିବିଆଇ ହାଇଦ୍ରାବାଦର ଏକ ଘରୋଇ କମ୍ପାନି ଟ୍ରାନ୍ସଟ୍ରଏ ଇଣ୍ଡିଆ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଅଭିଯୁକ୍ତ କମ୍ପାନି କାନାରା ବ୍ୟାଙ୍କ ଅଧ୍ୟକ୍ଷତାରେ ଥିବା ଏକ ବ୍ୟାଙ୍କିଙ୍ଗ୍ କନସୋର୍ଟିୟମଠାରୁ ଏହି ଋଣ ନେଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ପରିମାଣ ଦୃଷ୍ଟିରୁ ଏହା ଦେଶର ଏକ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି ।

ଆଜି ସିବିଆଇ ପକ୍ଷରୁ କମ୍ପାନିର ଅଫିସ ଓ ଏହାର ନିର୍ଦ୍ଦେଶକମାନଙ୍କ ଘରେ ଚଢଉ କରାଯାଇଛି । ଏହି ଚଢଉରେ ଅନେକ ଆପତ୍ତିଜନକ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି । ସିବିଆଇ ପକ୍ଷରୁ କମ୍ପାନିର ସିଏମଡି ଚେରୁକୁରି ଶ୍ରୀଧର, ଅତିରିକ୍ତ ନିର୍ଦ୍ଦେଶକ ଆର.ଏସ.ରାଓ ଓ ଅକିନେନି ସତୀଶଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।

ସିବିଆଇ କହିଛି ଯେ କମ୍ପାନି ନାଁରେ ଋଣ ନେଇ ଏହି ବରିଷ୍ଠ ଅଧିକାରୀମାନେ ଅର୍ଥ ଆତ୍ମସାତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ନିରବ ମୋଦୀ ପ୍ରାୟ ୬ ହଜାର କୋଟି ଟଙ୍କାର ଋଣ ଠକେଇ କରିଥିବାବେଳେ ତା ମାମୁ ମେହୁଲ ଚୋକସି ୭୦୮୦ କୋଟିର ଠକେଇ କରିଥିଲା ।

ସମ୍ବନ୍ଧିତ ଖବର