ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନୀ ବଣ୍ଡ୍ ସଂକ୍ରାନ୍ତ ସମସ୍ତ ତଥ୍ୟ ଏସ୍ବିଆଇ ପ୍ରଘଟ କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନୀ ବଣ୍ଡ୍ର ଦ୍ୱିତୀୟ ବୃହତ୍ତମ କ୍ରେତା ହାଇଦ୍ରାବାଦସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଠିକା କାମର ବିଲ୍ ପୈଠକ ବାବଦରେ ୭୮ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଛି। ମେଘା ଇଂଜିନିୟରିଂ ୯୬୬ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କ୍ରୟ କରିଥିବା ନିର୍ବାଚନ କମିସନଙ୍କ ୱେବ୍ସାଇଟ୍ରୁ ଜଣାପଡ଼ିଛି।
ଜଗଦଲପୁର ସମନ୍ବିତ ଇସ୍ପାତ କାରଖାନା ସମ୍ବନ୍ଧୀୟ କାର୍ଯ୍ୟରେ ମେଘା ଇଞ୍ଜିନିୟରିଂର ୧୭୪ କୋଟି ଟଙ୍କାର ବିଲ୍ ମଞ୍ଜୁର କରିବାରେ ପ୍ରାୟ ୭୮ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଏନ୍ଆଇଏସ୍ପି ଏବଂ ଏନ୍ଏମ୍ଡିସିର ୮ ଜଣ ଅଧିକାରୀ ଏବଂ ମେକନ୍ର ଦୁଇ ଜଣ ଅଧିକାରୀଙ୍କ ନାମ ମଧ୍ୟ ସିବିଆଇ ଏଫ୍ଆଇଆରରେ ରହିଛି। ସୂଚନାଯୋଗ୍ୟ, ମେଘା ଇଞ୍ଜିନିୟରିଂ ଇଲେକ୍ଟୋରାଲ ବଣ୍ଡ୍ର ଦ୍ୱିତୀୟ ବୃହତ୍ତମ କ୍ରେତା ଭାବରେ ଉଭା ହୋଇଥିଲା ଏବଂ ଏହା ବିଜେପିକୁ ସର୍ବାଧିକ ୫୮୪ କୋଟି ଟଙ୍କା ଦେଇଥିଲା।
ଏହା ବ୍ୟତୀତ ମେଘା ଇଂଜିନିୟରଂ ବିଆର୍ଏସ୍କୁ ୧୯୫ କୋଟି, ଡିଏମ୍କେକୁ ୮୫ କୋଟି ଏବଂ ୱାଇଏସ୍ଆରସିପିକୁ ୩୭ କୋଟି ଟଙ୍କା ଚାନ୍ଦା ଦେଇଥିବା ଜଣାପଡ଼ିଛି। ଟିଡିପିକୁ କମ୍ପାନିରୁ ପାଖାପାଖି ୨୫ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସକୁ ୧୭ କୋଟି ଟଙ୍କା ମିଳିଥିଲା । ଜେଡିଏସ୍, ଜନସେନା ପାର୍ଟି ଓ ଜେଡିୟୁକୁ ୫ କୋଟିରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିଛି। ଶନିବାର ସାର୍ବଜନୀନ ହୋଇଥିବା ଏତଲା ଅନୁଯାୟୀ, ସମନ୍ୱିତ ଇସ୍ପାତ କାରଖାନା ଜଗଦଲପୁରରେ ଇଣ୍ଟେକ୍ ୱେଲ୍ ଏବଂ ପମ୍ପ ହାଉସ୍ ଏବଂ କ୍ରସ୍ କଣ୍ଟ୍ରି ପାଇପ୍ ଲାଇନ୍ କାମ ସହ ଜଡ଼ିତ ୩୧୫ କୋଟି ଟଙ୍କାର ପ୍ରକଳ୍ପରେ ଲାଞ୍ଚ କାରବାର ହୋଇଛି। ସିବିଆଇ ୨୦୨୩ ଅଗଷ୍ଟ ୧୦ ତାରିଖରେ ଏହି ମାମଲାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଥିଲା।