ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ମାମଲା: ପରବର୍ତ୍ତୀ ଶୁଣାଣିକୁ ଡିସେମ୍ବର ୫ ତାରିଖକୁ ଧାର୍ଯ୍ୟ କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ମାମଲାର ପରବର୍ତ୍ତୀ ଶୁଣାଣିକୁ ସୁପ୍ରିମ୍ କୋର୍ଟ ଆସନ୍ତା ଡିସେମ୍ବର ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଏକ ଲାଞ୍ଚ ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଯେପରି ଏକ ବିବାଦୀୟ ପରିସ୍ଥିତିରେ ଓ ବିବାଦୀୟ ଢ଼ଙ୍ଗରେ ବାଧ୍ୟତାମୂଳକ ଛୁଟିରେ ପଠାଇଦେଲେ ତାହାକୁ ବିରୋଧ କରି ଆଲୋକ ବର୍ମା ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ସୁପ୍ରିମ୍ କୋର୍ଟର ପ୍ରଧାନ ବିବଚାରପତି ଜଷ୍ଟିସ୍ ରଂଜନ ଗୋଗେଇ, ଜଷ୍ଟିସ୍ ସଂଜୟ କିଶନ୍ କୌଲ ଓ ଜଷ୍ଟିସ୍ କେ ଏମ୍ ଯୋସେଫ୍ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଅଭିଯୋଗ ସଂପର୍କରେ ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସିଭିସି ତାଙ୍କ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମ୍ କୋର୍ଟ ଗତ ୨୦ ତାରିଖରେ ଏହି ମାମଲାର ପ୍ରାଥମିକ ଶୁଣାଣି କରିବା ସହ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ।
ଅନ୍ୟପକ୍ଷରେ, କେନ୍ଦ୍ର ସରକାର ଯେପରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲେ ତାକୁ ବିରୋଧ କରି ବିରୋଧୀ କଂଗ୍ରେସ ଓ ଅନ୍ୟ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାଠାନ ପକ୍ଷରୁ ମଧ୍ୟ ସୁପ୍ରିମ୍ କୋର୍ଟର ଅନ୍ୟ ଦୁଇଟି ମାମଲା ଆଗତ ହୋଇଥିଲା। ଆଜି ସୁପ୍ରିମ୍ କୋର୍ଟର ପ୍ରଧାନ ବିବଚାରପତି ଜଷ୍ଟିସ୍ ରଂଜନ ଗୋଗେଇ, ଜଷ୍ଟିସ୍ ସଂଜୟ କିଶନ୍ କୌଲ ଓ ଜଷ୍ଟିସ୍ କେ ଏମ୍ ଯୋସେଫ୍ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଆଗତ ସମସ୍ତ ମାମଲାକୁ ଏକତ୍ର କରି ସମସ୍ତ ପକ୍ଷର ଓକିଲଙ୍କ ଯୁକ୍ତି ଓ ସରକାରଙ୍କ ପକ୍ଷରୁ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କ ଯୁକ୍ତି ଶୁଣିବା ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ଡିସେମ୍ବର ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।