ହାଥରାସ୍‌ ମାମଲାରେ ସିବିଆଇର ଚାର୍ଜସିଟ୍‌ ଦାଖଲ, ପୀଡ଼ିତାକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି

ସନ୍ଦୀପ, ଲବକୁଶ, ରବି, ରାମୁ ଅଭିଯୁକ୍ତ, ହାଇକୋର୍ଟ ନିରୀକ୍ଷଣରେ ହୋଇଥିଲା ତଦନ୍ତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ହାଥରାସ୍‌ ଗଣଦୁଷ୍କର୍ମ ଏବଂ ହତ୍ୟା‌ ଘଟଣାର ପ୍ରାୟ ୩ ମାସ ପ‌‌ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ହାଥରାସ୍‌ ସ୍ବତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟରେ ୪ ଅଭିଯୁକ୍ତଙ୍କ ବିରୋଧରେ ୨୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସିବିଆଇ ଅଭିଯୋଗ ଫର୍ଦ୍ଦ‌ରେ ଦର୍ଶାଇଛି। ମାମଲାରେ ୪ ଅଭିଯୁକ୍ତ ସନ୍ଦୀପ, ଲବକୁଶ, ରବି ଏବଂ ରାମୁ ବିରୋଧରେ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ ହୋଇଛି। ସିବିଆଇ ଆଇପିସିର ଧାରା ୩୫୪, ୩୭୬ ଏ, ୩୭୬ ଡି, ୩୦୨ ଏବଂ ଏସ୍‌ସି/ଏସ୍‌ଟି ଆଇନ ଅଧୀନରେ ମାମଲା ଦାଖଲ କରିଛି। ସିବିଆଇ ଉକ୍ତ ମାମଲାରେ ୪ ଅଭିଯୁକ୍ତଙ୍କ ଭୂମିକାକୁ ଅତି ଭଲଭାବେ ତର୍ଜମା କରିଥିଲା। ବିଭିନ୍ନ ଫରେନ୍ସିକ୍‌ ଟେଷ୍ଟ୍‌ ରିପୋର୍ଟକୁ ସିବିଆଇ ତନ୍ନ ତନ୍ନ କରି ତର୍ଜମା କରିଥିଲା ଏବଂ ତଦନ୍ତକାରୀ ଦଳ ମଧ୍ୟ ପୀଡ଼ିତା ଚିକିତ୍ସିତ ହୋଇଥିବା ଜବାହରଲାଲ୍‌ ନେହରୁ ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ର ଡାକ୍ତରୀ ଦଳଙ୍କୁ ଭେଟିଥିଲେ।

ଆଇପିସି, ଏସ୍‌ସି/ଏସଟି ଆଇନର ଧାରା ଲାଗିଛି

ଉଲ୍ଲେଖଯୋଗ୍ୟ ଗତ ସେପ୍ଟେମ୍ବର ୧୪ରେ ହାଥରାସ୍‌ର ଜଣେ ୧୯ ବର୍ଷୀୟା ଦଳିତ ମହିଳା ଉଚ୍ଚ ଜାତିର ୪ ଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥି‌ଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ଜବାହରଲାଲ୍‌ ନେହରୁ ମେଡିକାଲ୍‌ରେ ଚିକିତ୍ସା କରାଯାଇଥିଲା କିନ୍ତୁ ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ହୋଇଥିଲା‌। ସେପ୍ଟେମ୍ବର ୩୦ରେ ରାତାରାତି ପୁଲିସ ତାଙ୍କ ଶବ ସତ୍କାର କରିଦେଇଥିଲା। ପୀଡ଼ିତା ପରିବାରର ବିନା ଅନୁମତିରେ ପୁଲିସ ଶବ ସତ୍କାର କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାକୁ ଜୋରଦାର ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ମଧ୍ୟ ହୋଇଥିଲା। ପରେ ରାଜ୍ୟ ସରକାର ଉକ୍ତ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ। ସିବିଆଇ ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିଥିଲା। ସିବିଆଇ ମଧ୍ୟ ପୀଡ଼ିତା ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି। ତେବେ ସିବିଆଇ ଦ୍ବାରା କରାଯାଉଥିବା ତଦନ୍ତର ନିରୀକ୍ଷଣ ଆହ୍ଲାବାଦ ହାଇକୋର୍ଟ କରିବେ ବୋଲି ସୁପ୍ରିମକୋର୍ଟ ଗତ ଅକ୍ଟୋବରରେ କହିଥିଲେ।

ସମ୍ବନ୍ଧିତ ଖବର