ନୂଆ ଦାୟିତ୍ବ ନେଲେନି ଇସ୍ତଫା ଦେଲେ

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ବହିଷ୍କୃତ ‌େହବାର ଗୋଟିଏ ଦିନ ପରେ ଆଲୋକ ବର୍ମା ଆଜି ଚାକିରିରୁ ଇସ୍ତଫା ପ୍ରଦାନ କରିଛନ୍ତି। ସିବିଆଇ ନିର୍ଦେଶକ ପଦରୁ ହଟାଇ ତାଙ୍କୁ ଗତକାଲି ଅଗ୍ନିଶମ ସେବାର ମହାନିର୍ଦେଶକ ନିଯୁକ୍ତ କରାଯାଇଥିଲା। ଏହି ଦାୟିତ୍ବ ନେବାକୁ ମଧ୍ୟ ସେ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଇସ୍ତଫାପତ୍ରରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ ଦର୍ଶାଇଛନ୍ତି। ଜଣେ ଅଧିକାରୀଙ୍କ ମିଥ୍ୟା ଅଭିଯୋଗକୁ ଆଧାର କରି ତାଙ୍କୁ ହଟାଯାଇଛି। ତାଙ୍କୁ ନିଜ ପକ୍ଷ ରଖିବା ଲାଗି ମଧ୍ୟ ସୁଯୋଗ ଦିଆଯାଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ମା ଅଭିଯୋଗ କରିଛନ୍ତି ଯେ ସିବିଆଇ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା। ଏହାର ସ୍ବତନ୍ତ୍ରତା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାକୁ ‌େସ ଉଦ୍ୟମ କରିବାରୁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। କେନ୍ଦ୍ରରେ ସରକାରମା‌େନ ସିବିଆଇକୁ କିପରି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି ଏହା ହେଉଛି ତାହାର ଜ୍ବଳନ୍ତ ଉଦାହରଣ। ଯେଉଁ ମୁଖ୍ୟ ଭିଜିଲାନ୍ସ କମିସନର (ସିଭିସି) ସୁପାରିସକୁ ଆଧାର କରି ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ସ୍ବାଧୀନତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ବର୍ମା କହିଛନ୍ତି ଯେ ସିଭିସି କେନ୍ଦ୍ର ସରକାର ଦ୍ବାରା ନିଯୁକ୍ତ ହୋଇଥିବାରୁ ଏହା କେବଳ କେନ୍ଦ୍ରର ଇସାରାରେ ହିଁ କାମ କରିବ। ସୂଚନାଯୋଗ୍ୟ, ବିବାଦ ଘେର‌େର ଥିବା ବର୍ମାଙ୍କୁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ମନୋନୟନ କମିଟି ସିବିଆଇ ମୁଖ୍ୟ ପଦରୁ ବିଦା କରିଥିଲା।

ସମ୍ବନ୍ଧିତ ଖବର